ନୂଆଦିଲ୍ଲୀ: ୭୧ ଜଣିଆ ମନ୍ତ୍ରିମଣ୍ଡଳର ମୁଖ୍ୟ ଭାବେ ଶପଥ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନ, ହରିୟାଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ଲାଲ ଖଟ୍ଟର, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ ଏବଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରହିଛନ୍ତି। ଏନଡିଏର ସହଯୋଗୀ ଦଳରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ ଏବଂ ଏଚ୍‌ଡି କୁମାରସ୍ୱାମୀ ଅଛନ୍ତି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ୩୦ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମରେ ୫ ଜଣ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ମୋଦୀ ୩.୦ରେ ସହଯୋଗୀ ଦଳର ୧୧ ଜଣ ମନ୍ତ୍ରୀ ଅଛନ୍ତି। ନିରନ୍ତରତା ଏବଂ ଅଭିଜ୍ଞତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବ ଦେଇଥିବା ବେଳେ ଏଥର କ୍ୟାବିନେଟର ଶୀର୍ଷରେ ଅମିତ ଶାହା, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ ଜୟଶଙ୍କର, ପୀୟୂଷ ଗୋୟଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ଯୋଶୀ ଏବଂ ଗିରିରାଜ ସିଂହ ରହିଛନ୍ତି।