ଜୁଲାଇ ୨୭ରେ ପହଞ୍ଚିବ ବାୟୁସେନାର ୬ଟି ରାଫେଲ୍, ଅଗଷ୍ଟ ସୁଦ୍ଧା ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯିବ

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରେ ଫ୍ରାନ୍‌ସ୍‌ର ଆଇସ୍ତ୍ରେସ୍‌ରୁ ପ୍ରଥମ ଛେକ ରାଫେଲ୍ ଲଢୁଆ ଜେଟ୍‌ ହରିୟାଣାର ଅମ୍ବାଲା ସହରରେ ପହଞ୍ଚିବ।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଥମ ଛେକରେ ଚାରି ରୁ ଛଅଟି ରାଫେଲ୍ ଜେଟ୍ ଭାରତରେ ପହଞ୍ଚିବ। ଫଳରେ ଅଗଷ୍ଟ ସୁଦ୍ଧା ରାଫେଲ୍‌ ଜେଟ୍‌ର ‘ଗୋଲ୍‌ଡେନ୍ ଆରୋ’ ସ୍କ୍ବାଡ୍ରନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯିବ।

ମେଟିଅର୍ ଏବଂ ସ୍କାଲ୍‌ପ୍ ଭଳି କ୍ଷେପଣାସ୍ତ୍ର ଭାରତରେ ଡେଲିଭରି ଆରମ୍ଭ ହୋଇ ସାରିଥିବା ବେଳେ ଜୁଲାଇ ୨୭ରେ ରାଫେଲ୍ ଜେଟ୍ ଦିଆଯିବ। ଦକ୍ଷିଣ ଫ୍ରାନ୍‌ସ୍‌ରେ ଥିବା ଆଇସ୍ତ୍ରେସ୍ କମ୍ମ୍ୟୁନ୍‌ରୁ ଭାରତୀୟ ପାଇଲଟ୍‌ମାନେ ହରିୟାଣାର ଅମ୍ବାଲାକୁ ଉଡ଼ାଇ ଆଣିବେ। ବାଟରେ ୟୁଏଇର ଏଆଇ ଧାଫ୍ରା ଏୟାର୍‌ ବେସ୍‌ରେ ସେମାନେ ଥରେ ମାତ୍ର ରହିବେ।

Image Courtesy of The Hindu

୫୯ ୦୦୦ କୋଟି ଟଙ୍କା ବିନିମୟରେ ଭାରତ ଫ୍ରାନ୍‌ସ୍‌ରୁ ୩୬ଟି ରାଫେଲ୍ ଜେଟ୍ କିଣିଛି। ଏହି ରାଫେଲ୍ ଜେଟ୍‌ ଗୁଡ଼ିକୁ ଦୁଇଟି ସ୍କ୍ବାଡର୍ଣ୍ଣରେ ବିଭକ୍ତ କରାଯିବ। ଗୋଟିଏ ସ୍କ୍ବାଡର୍ଣ୍ଣ ପଶ୍ଚିମ ସେକ୍ଟର୍ ଅମ୍ବାଲାରୁ ଏବଂ ଅନ୍ୟଟି ପଶ୍ଚିମବଙ୍ଗର ହାସିମାରାରୁ ଅଭିଯାନ ଚଳାଇବେ।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ କି, କରୋନାଭାଇରସ୍ ମହାମାରୀ ସଙ୍କଟ ମଧ୍ୟରେ ବି ରାଫେଲ୍ ବିମାନ ଡେଲିଭରିରେ ବିଳମ୍ବ ହେବନାହିଁ।

ସମ୍ବନ୍ଧିତ ଖବର