ନୀତୀଶଙ୍କୁ ବିଜେପି ଦେଲା ଝଟକା: ୬ ଜେଡିୟୁ ବିଧାୟକ ବିଜେପିରେ ସାମିଲ

ପାଟନା: ସଂଯୁକ୍ତ ଜନତା ଦଳ ବା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ବଡ଼ ଝଟକା ଦେଇଛି ବିଜେପି । ବିହାରରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଏବେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିଛି । ସେଠାରେ ନୀତୀଶ କୁମାରଙ୍କ ଜେଡିୟୁ ମୋଟ ୭ ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ ।

ଏହି ଖବର ସେତେବେଳେ ଆସିଛି ଯେତେବେଳେ ଆସନ୍ତା ଶନିବାର ଦିନ ବିହାରର ପାଟନାଠାରେ ଜେଡିୟୁ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ନେଇ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ଅରୁଣାଚଳ ପ୍ରଦେଶର ୬ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏପଟେ ଦଳ ପକ୍ଷରୁ ରାଷ୍ଟ୍ରୀୟ ପରିଷଦ ବୈଠକ ନେଇ ସେହି ୬ ଜଣ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ଓ ଦଳ ତାଙ୍କ ପାଇଁ ବିହାରରେ ହୋଟେଲ ବି ବୁକିଂ କରିସାରିଥିଲା । ହେଲେ ଏହି ସମୟରେ ବିଜେପି ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିନେଇଛି। ଏହା କରି ନୀତୀଶକୁ ବିଜେପି ବାର୍ତ୍ତା ଦେଇଛି କି ଯେତେବେଳେ ଦଳର ବିଧାୟକ ସଂଖ୍ୟା ବଢାଇବାକୁ ଅନ୍ୟଦଳରୁ ବିଧାୟକଙ୍କୁ ଦଳରେ ସାମିଲ କରାଯାଉଛି ସେତେବେଳେ ସହଯୋଗୀ ଓ ବିରୋଧୀ ଦଳ ଭିତରେ କିଛି ଫରକ ନାହିଁ ।

Main bhi Nitish Kumar': JD(U) shapes campaign around Bihar CM ahead of  Assembly elections - The Financial Express
The Financial Express

ଏ ନେଇ ଜେଡିୟୁ ତରଫରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ କିଛି ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ କିଛି ଜେଡିୟୁ ନେତା କହିଛନ୍ତି କି ଏଭଳି କରିବା ଦ୍ୱାରା ବିଜେପି ଓ ଜେଡିୟୁ ମଧ୍ୟରେ ସଂପର୍କ ଖରାପ ହେବ । ଏହା କୌଣସି ଦିଗରୁ ଶୁଭ ସଙ୍କେତ ନୁହେଁ ବୋଲି ଜେଡିୟୁ ନେତା କହିଛନ୍ତି । ଅରୁଣାଚଳ ପୂର୍ବରୁ ନାଗାଲାଣ୍ଡରେ ଜେଡିୟୁର ଥିବା ଗୋଟିଏ ମାତ୍ର ବିଧାୟକଙ୍କୁ ବି ସେଠିକାର ମୁଖ୍ୟମନ୍ତ୍ରୀ ନିଜ ଦଳରେ ସାମିଲ କରିନେଇଛନ୍ତି ।

ବିହାର ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମେଣ୍ଟରେ କିଛି ପରିବର୍ତ୍ତନ ହେଉଥିବା ଭଳି ମନେ ହେଉଛି । ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ବିହାର ନିର୍ବାଚନରେ ବିଜେପି ଜେଡିୟୁଠାରୁ ଅଧିକ ଆସନ ହାସଲ କରିଥିଲା । ହେଲେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା କି ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ । ତେଣୁ ବିଜେପି ଅଧିକ ଆସନ ପାଇଥିଲେ ବି ନୀତୀଶଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲା । ହେଲେ  ଏହି ମେଣ୍ଟରେ ଏବେ ବିଜେପିର ପ୍ରଭାବ ବେଶି ରହିଥିବା ଭଳି ମନେ ହେଉଛି । ଏବେ ଦେଖିବାକୁ ବାକି ରହିଲା କି ଅରୁଣାଚଳ ପ୍ରଦେଶରେ ବିଜେପି ଏଭଳି କରିବା ପରେ ବିହାରରେ ତା’ର ପ୍ରଭାବ କିଭଳି ପଡୁଛି ।

ସମ୍ବନ୍ଧିତ ଖବର