ଅଟୋରିକ୍ସା ଓ ବାଇକ୍‌କୁ ଧକ୍କା ଦେଲା କଂଗ୍ରେସ ବିଧାୟକଙ୍କ ଜ୍ବାଇଁଙ୍କ କାର୍‌; ୩ ମହିଳାଙ୍କ ସମେତ ୬ ମୃତ

ଆନନ୍ଦ: ଗୁରୁବାର ସନ୍ଧ୍ୟା ବେଳେ ଗୁଜରାଟର ଆନନ୍ଦ ଜିଲ୍ଲାରେ ଦ୍ରୁତ ବେଗରେ ଯାଉଥିବା ଗୋଟାଏ ‘ଏସ୍‌ୟୁଭି’ ଅଟୋରିକ୍ସା ଓ ବାଇକ୍‌କୁ ପଛଆଡୁ ଧକ୍କା ଦେବାରୁ ୩ଜଣ ମହିଳାଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ୩ ମହିଳା ରକ୍ଷାବନ୍ଧନ ଶେଷ କରି ଫେରୁଥିଲେ।

ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଆନନ୍ଦ ନଗରୀ ଓ ତାରାପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅନ୍ତର୍ଗତ ସୋଜିତ୍ରା ଗାଁ ନିକଟରେ ଉପରୋକ୍ତ ଦୁର୍ଘଟଣା ଘଟିଛି। ଧକ୍କା ଦେଇଥିବା ଦ୍ରୁତଗାମୀ ‘କିଆ ସେଲ୍‌‌ଟସ୍‌ ଏସ୍‌ୟୁଭି’ଟିକୁ ସୋଜିତ୍ରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପୁନମ୍‌ଭାଇ ମାଧଭାଇ ପାରମରଙ୍କ ଜ୍ବାଇଁ ଖେତନ୍‌ ପଧିୟାର୍‌ଙ୍କର। ସେତେବେଳେ ସେ ନିଶାସକ୍ତ ଥିଲେ।

Image Courtesy of Hari Bhoomi

ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ୨ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମରିଥିବ କଥା ବୋଲି ପୁଲିସ କହିଛି।

ଆନନ୍ଦ ‘ଏଏସ୍‌ପି’ ଅଭିଷେକ ଗୁପ୍ତା କହିଛନ୍ତି, ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆନନ୍ଦରେ ଗୋଟାଏ କାର୍‌, ବାଇକ୍‌ ଏବଂ ଅଟୋରିକ୍ସା ମଧ୍ୟରେ ଦୁର୍ଘଟଣା ଘଟି ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ଜଣ ଅଟୋରେ ଯାଉଥିବା ବେଳେ  ଏବଂ ୨ଜଣ ବାଇକ୍‌ରେ ଯାଉଥିଲେ। ଆହତ ହୋଇଥିବା କାର୍‌ଡ୍ରାଇଭର୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାର ତଦନ୍ତ ଚାଲିଛି।

ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ମୁଖପାତ୍ର ଶେହଜାଦ୍‌ ପୂନାୱାଲା କଂଗ୍ରେସକୁ ସମାଲୋଚନା କରି ଟୁଇଟ୍‌ କରିଛନ୍ତି: ଏ ହେଉଛି କଂଗ୍ରେସର ଅସଲ ରୂପ।

ସମ୍ବନ୍ଧିତ ଖବର