ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ସରକାର ଭାଙ୍ଗୁଭାଙ୍ଗୁ ରହିଯାଇଛି। ଏକ ନିଶ୍ଚିତ ବିପର୍ଯ୍ୟୟରୁ ବର୍ତ୍ତମାନ ପାଇଁ ଉଧୁରିଯାଇଛି କଂଗ୍ରେସ। ସଙ୍କଟକୁ ସଫଳତାର ସହ ନିୟନ୍ତ୍ରଣ କରିବା ପରେ କଂଗ୍ରେସ ଗୁରୁବାର ଦୃଢ଼ୋକ୍ତି କରିଛି ଯେ ସୁଖବିନ୍ଦର ସିଂହ ସୁଖୁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିବେ ଏବଂ ପର୍ଯ୍ୟବେକ୍ଷକମାନେ ସମସ୍ତ ବିଧାୟକଙ୍କ ସହ କଥା ହୋଇ ମତଭେଦ ଦୂର କରିବେ। ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନରେ ବିଜେପିକୁ କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଆଜି ଅଯୋଗ୍ୟ ଘୋଷଣା କରାଯାଇଛି। ତେବେ ଏଭଳି କାର୍ଯ୍ୟାନୁଷ୍ଠାନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଉକ୍ତ ବିଧାୟକମାନେ କହିଛନ୍ତି। ଦଳବଦଳ ଆଇନ ଅନୁଯାୟୀ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି କୁଲଦୀପ ସିଂହ ପଠାନିଆ ଏହି ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବୁଧବାର ବଜେଟ୍ ପାସ୍ କରିଥିବା ବେଳେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ ପର୍ଯ୍ୟବେକ୍ଷକମାନଙ୍କ ଆଲୋଚନା ଶେଷ ନ ହେବା ପର୍ଯ୍ୟନ୍ତ ସେ ଇସ୍ତଫା ଗ୍ରହଣ ପାଇଁ ଚାପ ପକାଇବେ ନାହିଁ। ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କଂଗ୍ରେସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପର୍ଯ୍ୟବେକ୍ଷକ ଡିକେ ଶିବକୁମାର କହିଛନ୍ତି ଯେ ହିମାଚଳ ବିଧାୟକଙ୍କ ସହ ଆଲୋଚନା ହୋଇଛି ଏବଂ ସେମାନେ ସମସ୍ତେ ସେମାନଙ୍କ ମତଭେଦ ଦୂର କରିଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପରେ କଂଗ୍ରେସ ୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଅଯୋଗ୍ୟ ଘୋଷିତ ବିଧାୟକମାନେ ହେଲେ ରାଜେନ୍ଦ୍ର ରାଣା, ସୁଧୀର ଶର୍ମା, ଇନ୍ଦ୍ର ଦତ୍ତ ଲଖନପାଲ, ଦେବେନ୍ଦ୍ର କୁମାର ଭୁଟୁ, ରବି ଠାକୁର ଓ ଚୈତନ୍ୟ ଶର୍ମା। ବାଚସ୍ପତି କୁଲଦୀପ ସିଂହ ପଠାନିଆ ବୁଧବାର ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ସମେତ ୧୫ ଜଣ ବିଜେପି ବିଧାୟକଙ୍କୁ ଗୃହରେ ବିଶୃଙ୍ଖଳା ଅଭିଯୋଗରେ ବହିଷ୍କାର କରିଥିଲେ। କ୍ରସ୍ ଭୋଟ୍ ପରେ ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଗତକାଲି ସକାଳେ ରାଜଭବନ ଯାଇ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ କେବଳ ମତଦାନ ମାଧ୍ୟମରେ ଅର୍ଥ ବିଲ୍ ପାରିତ କରାଇବାକୁ କହିଥିଲେ। ତେବେ କଂଗ୍ରେସ ସରକାର ବଜେଟ୍ ପାସ୍ କରାଇବାରେ ସଫଳ ହୋଇଥିଲେ। ସଙ୍କଟ ଦେଖାଦେବା ପରେ ଦିଲ୍ଲୀର କଂଗ୍ରେସ ନେତୃତ୍ୱ ତିନି ଜଣ ପର୍ଯ୍ୟବେକ୍ଷକ ଭୂପେଶ ବଘେଲ, ଭୂପିନ୍ଦର ସିଂହ ହୁଦା ଏବଂ ଡିକେ ଶିବକୁମାରଙ୍କୁ ସଙ୍କଟ ପରିଚାଳନା ପାଇଁ ଶିମଲା ପଠାଇଥିଲେ। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ କଂଗ୍ରେସ ସଭାପତି ପ୍ରତିଭା ସିଂହ କହିଛନ୍ତି, ଲୋକସଭା ନିର୍ବାଚନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କଠିନ ପରିଶ୍ରମ କରିବାକୁ କର୍ମୀମାନଙ୍କୁ ଅନୁରୋଧ କରିବାକୁ ଆମର ଯଥେଷ୍ଟ ସାହସ ନାହିଁ। ବିଦ୍ରୋହୀଙ୍କ ବିଷୟରେ ମୁଁ କଂଗ୍ରେସ ନେତୃତ୍ୱଙ୍କୁ ପୂର୍ବରୁ ଜଣାଇସାରିଥିଲି କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇ ନ ଥିଲା।