ଭୋପାଳ ହଷ୍ଟେଲ୍‌ରେ ପାଶବିକ ନିର୍ଯାତନା : ୬ ମାସ ଧରି ମହିଳାଙ୍କୁ ଦୁଷ୍କର୍ମ

ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରାଯାଉଥିଲା, ଘଟଣାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୋପାଳ: ବିହାରର ମୁଜାଫରପୁର ଏବଂ ଉତ୍ତର ପ୍ରଦେଶର ଦେଓରିଆ ଆଶ୍ରୟସ୍ଥଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଅକଥନୀୟ ନିର୍ଯାତନା ଖବର ମନରୁ ଲିଭିନଥିବା ବେଳେ ଏବେ ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଏକ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଭୋପାଳର ଏକ ହଷ୍ଟେଲ୍‌ରେ ରହୁଥିବା ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ପୂର୍ବରୁ ହଷ୍ଟେଲ୍‌ର ୩ ଜଣ ଅନ୍ତେବାସୀ ଦୁଷ୍କର୍ମକାରୀଙ୍କ କବଳରୁ ଖସିଆସି ଥାନାରେ ଏତଲା ଦେଇଥିଲେ। ଆଜି ଆଉ ଜଣେ ମହିଳା ସମାନ ଅଭିଯୋଗ ଆଣିଛନ୍ତି।

ମହିଳା ଜଣକ ଦର୍ଶାଇଛନ୍ତି ଯେ ଭୋପାଳ ହଷ୍ଟେଲ୍‌ରେ ତାଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରାଯାଉଥିଲା। ପରେ ତାଙ୍କୁ ଦୁଷ୍କର୍ମ କରାଯାଉଥିଲା। ଦିନେ କି ଦୁଇଦିନ ନୁହେଁ, ଏହିଭଳି ୬ ମାସ ଧରି ତାଙ୍କୁ ଦୁଷ୍କର୍ମ କରାଯାଉଥିଲା। କାହାକୁ କହିଲେ, ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିଲା। ମହିଳା ଜଣକ ଥାନାରେ ହଷ୍ଟେଲ୍‌ର ନିର୍ଦ୍ଦେଶକ ବିରୋଧରେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ହଷ୍ଟେଲ୍‌ରେ ରହୁଥିବା ଜଣେ ୨୦ ବର୍ଷୀୟା ଦିବ୍ୟାଙ୍ଗ ଥାନାରେ ପ୍ରଥମେ ଏତଲା ଦେବା ପରେ ଘଟଣାର ପର୍ଦାଫାସ ହୋଇଥିଲା। ତାଙ୍କର ଏତଲା ପରେ ଆଉ ଦୁଇଜଣ ମହିଳା ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବୁଧବାର ହଷ୍ଟେଲ୍‌ ନିର୍ଦ୍ଦେଶକ ଅଶ୍ୱିନୀ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଇନ୍ଦୋର ପୁଲିସକୁ ସୂଚନା ଦେଇ ଏହି ୨୩ ବର୍ଷୀୟା ପୀଡ଼ିତା (ଚତୁର୍ଥ ଅଭିଯୋଗକାରିଣୀ) କହିଛନ୍ତି, ‘‘ମୋତେ ହଷ୍ଟେଲ୍‌ କର୍ତ୍ତୃପକ୍ଷ ବନ୍ଦୀ କରି ରଖୁଥିଲେ। ଏହାପରେ କିଛି ଲୋକ ଆସି ମୋତେ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିଲେ। ପରେ ଦୁଷ୍କର୍ମ କରାଯାଉଥିଲା। ୬ ମାସ କାଳ ଏଭଳି ଭାବେ ଦୁଷ୍କର୍ମର ଶିକାର ହେବାକୁ ପଡ଼ିଥିଲା। ଏହାକୁ ଏଡ଼ାଇବାକୁ ଚେଷ୍ଟା କଲେ ମୋ ଉପରେ ପାଶବିକ ଅତ୍ୟାଚାର କରାଯାଉଥିଲା।’’ ଏହି ମହିଳାଙ୍କ ଘର ମଧ୍ୟପ୍ରଦେଶର ଧର ଜିଲ୍ଲାରେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅଓ୍ଵଧପୁରିସ୍ଥିତ କ୍ରିଷ୍ଟାଲ୍‌ ଆଇଡିଆଲ୍‌ ସିଟି ହଷ୍ଟେଲ୍‌ରେ ସେ ରହୁଥିଲେ। ଏ ନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଅଭିଯୁକ୍ତ ଅଶ୍ୱିନୀ ଶର୍ମା ବିହାର ଆଶ୍ର୍ରୟସ୍ଥଳର ମାଲିକ ବ୍ରଜେଶ୍‌ ଠାକୁର ଭଳି ଜଣେ ଅପରାଧୀ। ବ୍ରଜେଶ୍‌ ଭଳି ଅଶ୍ୱିନୀ ମଧ୍ୟ ଅନେକ ବିଜେପି ନେତାଙ୍କ ସଂପର୍କରେ ରହିଥିବା ଦଳ ଦର୍ଶାଇଛି। କଂଗ୍ରେସ ମୁଖପାତ୍ର ଶୋଭା ଓଜା କହିଛନ୍ତି, ଅଶ୍ୱିନୀ ଶର୍ମା ଆର୍‌ଏସ୍‌ଏସ୍‌ର ଜଣେ କର୍ମୀ। ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ହାତ ରହିଛି। ଏ ନେଇ ଓଜା ଏକ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଅଶ୍ୱିନୀ ଶର୍ମା ମୁଖ୍ୟମନ୍ତ୍ରୀ ଚୌହାନଙ୍କ ପାଦଧୂଳି ନେଇ ତାଙ୍କଠାରୁ ଆଶୀର୍ବାଦ ନେଉଛନ୍ତି। ଅପରପକ୍ଷରେ ବିଜେପି ମୁଖପାତ୍ର ରାହୁଲ କୋଠାରି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର