ନୂଆଦିଲ୍ଲୀ: ଦ୍ବିତୀୟ ଥର ଦେଶରେ ବିଜେପି ନେତୃତ୍ବ‌ାଧିନ ଏନଡିଏ ସରକାର କ୍ଷମତାକୁ ଆସିବା ସହ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ନରେନ୍ଦ୍ର ମୋଦୀଙ୍କୁ ମିଳିଛି। ଗତ ଲୋକସଭା ନିର୍ବାଚନରେ ବହୁମତ ହାସଲ କରି ସେ ପୁଣି ଦେଶର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏବେ ତାଙ୍କର ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ୬ମାସ ବିତି ସାରିଥିବା ବେଳେ ଏହି ୧୮୦ଦିନକୁ ନେଇ ନିଜ ମନର କଥା ଟୁଇଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Advertisment

ପ୍ରଥମ ଟୁଇଟରେ ଲେଖାଯାଇଛି କି, 'ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ' ଭଳି ଆଦର୍ଶ ବାକ୍ୟ ଦ୍ବାରା ପ୍ରେରିତ ହେବା ସହ ୧୩୦କୋଟି ଭାରତୀୟଙ୍କ ଆର୍ଶୀବାଦ ନେଇ ଏନଡିଏ ସରକାର ଭାରତକୁ ବିକାଶ ପଥରେ ନେବା ଆରମ୍ଭ କରିଛି। ଏହା ସହ ୧୩୦କୋଟି ଭାରତୀୟଙ୍କ ଜୀବନକୁ ସଶକ୍ତ କରିବା ଦିଗରେ କାମ କରିବା ଜାରି ରଖିଛି । ଏହା ସହ ଦ୍ବିତୀୟ ଟୁଇଟରେ ଏନଡିଏ ସରକାର ଗତ ୬ମାସ ମଧ୍ୟରେ କେଉଁ ସବୁ ସଫଳତା ହାସଲ କରିଛି, ସେ ବିଷୟରେ ମୋଦୀଜୀ ବର୍ଣ୍ଣନା କରିଥିଲେ।

ଦ୍ବିତୀୟ ଟୁଇଟରେ ମୋଦୀ ଲେଖିଛନ୍ତି, ଗତ ୬ମାସ ମଧ୍ୟରେ ଆମେ ଅନେକ ନିଷ୍ପତ୍ତି ନେଇଛୁ। ଯାହା ଦେଶର ବିକାଶକୁ ଆଗକୁ ବଢ଼ାଇବା ସହ ସାମାଜିକ ସଶକ୍ତିକରଣକୁ ଦ୍ରୁତ ଗତି ଦେଇଛି। ଏହା ସହ ଭାରତର ଏକତା ବଢ଼ାଇଛି। ଏକ ବିକଶିତ ନୂଆ ଭାରତ ତିଆରି କରିବା ପାଇଁ ଆମେ ଆହୁରି ଅଧିକ କାମ କରିବାର ଯୋଜନା ରଖିଛୁ।