କେରଳରେ ୧୨ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ଆଉ ୬ଜଣ କରୋନା ରୋଗୀ

ଭାରତରେ ସର୍ବମୋଟ ୫୦

ନୂଆଦିଲ୍ଲୀ: କେରଳରେ ଆଉ ୬ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୬ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ପଜେଟିଭ୍ ଆସିଛି। ୬ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଏବେ ରାଜ୍ୟରେ କରୋନାଭାଇରସ୍ ଦ୍ୱାରା ପ୍ରଭାବିତ ସମୁଦାୟ ଲୋକଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ସେହିଭଳି ଭାବରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୪୩ଥିବା ବେଳେ ଆଜି କେରଳରେ ୬ଜଣ ଏବଂ ତାମିଲନାଡୁରେ ଜଣେ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୫୦ରେ ପହଞ୍ଚିଛି।

ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସରକାରୀ ସାର୍ବଜନୀନ କାର୍ଯ୍ୟ ଉପରେ ନିଷେଧାଦେଶ ସମେତ ସାରା ରାଜ୍ୟରେ ହାଇ ଆଲର୍ଟ ଘୋଷଣା କରିଦିଆଯାଇଛି। ରାଜ୍ୟ ମନ୍ତ୍ରିମଣ୍ଡଳ ସହ ଏକ ସ୍ବତନ୍ତ୍ର ବୈଠକ ପରେ ପିନାରାୟୀ ବିଜୟନ ଗଣମାଧ୍ୟମଙ୍କୁ କହିଛନ୍ତି ଯେ, ସମସ୍ତ ଜନସମାବେଶରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଆବେଦନ କରାଯିବ। ଏହା ସହ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଉଥିବା ସ୍କୁଲକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ବନ୍ଦ ରଖାଯିବା ସହ ପିଲାଙ୍କ ପରୀକ୍ଷାକୁ ମଧ୍ୟ ବାତିଲ କରାଯିବ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀ ପାଇଁ ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଜାରି ରହିବ। ଯେଉଁମାନେ ନିଜର ଯାତ୍ରା ଇତିହାସ ଲୁଚାଉଛନ୍ତି ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। କରୋନାଭାଇରସ୍ ଦ୍ବାରା ପ୍ରଭାବିତ ଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତି ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା ଉଚିତ୍। ବିମାନବନ୍ଦରରେ ସ୍କ୍ରିନିଂ ସୁବିଧାକୁ ମଜବୁତ କରାଯିବା ସହ ସାରା ରାଜ୍ୟରେ ସିସିଟିଭି ବ୍ୟବସ୍ଥାକୁ ମଧ୍ୟ ମଜବୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି।

Image result for 6 more coronavirus cases confirmed in Kerala
The Economic Times

ଏହା ସହ ସେ କହିଛନ୍ତି, ନମୁନା ପରୀକ୍ଷା ପାଇଁ ଲ୍ୟାବ ସଂଖ୍ୟା ବୃଦ୍ଧି କରାଯିବା ସହ ଗୁଜବ ଏବଂ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେରଳର ବିମାନବନ୍ଦରକୁ ଆସୁଥିବା ଏବଂ ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ବ୍ୟକ୍ତିଙ୍କ ସମସ୍ତ ସୂଚନା ବିମାନ କମ୍ପାନିଠାରୁ ସଂଗ୍ରହ କରାଯିବ। ଯେମିତି ସମସ୍ତେ ସାନିଟାଇଜର ଏବଂ ମାସ୍କକୁ ଠିକ୍ ସମୟରେ ପାଇପାରିବେ,ସେ ନେଇ ଦୃଷ୍ଟି ଦିଆଯିବ। ସିନେମା ହଲ୍, ମନ୍ଦିର, ମସଜିଦ, ଚର୍ଚ୍ଚ ପରିଦର୍ଶନ ପରି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ ତଥା ଜନସମାବେଶର ସମସ୍ତ ପର୍ବରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର