ନୂଆଦିଲ୍ଲୀ: ଆଜି ରାଜ୍ୟସଭା ଓ ଲୋକସଭାର ଶୂନ୍ୟକାଳରେ ଓଡ଼ିଶାର ୬ ଜଣ ସାଂସଦ ବିଭିନ୍ନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟସଭା ସାଂସଦ ମମତା ମହନ୍ତ ବାରିପଦାରୁ ବାଲେଶ୍ବର ପର୍ଯ୍ୟନ୍ତ ରେଳ ଚଳାଚଳା ଆରମ୍ଭ ପାଇଁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଓଡ଼ିଶାର ମୟୂରଭଂଜ ଜିଲ୍ଲାର କପ୍ତିପଦା ସବ୍ଡିଭିଜନର ଲକ୍ଷ ଲକ୍ଷ ଲୋକ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଳ ସୁବିଧାରୁ ବଂଚିତ ଅଛନ୍ତି। ଏହି ଅଂଚଳର ଲୋକେ ରେଳ ସୁବିଧା ପାଇବାକୁ ୧୦୦ କିଲୋମିଟର ଯାତ୍ରା କରିଥାନ୍ତି। ସାଂସଦ ମହନ୍ତ ବାରିପଦାରୁ ଖୁଣ୍ଟା, କୋଦଳା, କପ୍ତିକଦା ଓ ନୀଳଗିରି ଦେଇ ବାଲେଶ୍ବର ଷ୍ଟେସନ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ବିଜେଡି ସାଂସଦ ଡ ଅମର ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୭ ଲକ୍ଷ ଗରିବ ହିତାଧିକାରୀଙ୍କୁ ଆବାସ ଯୋଗାଇବାକୁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ବାରା ଏହି ଯୋଜନାରେ ରାଜ୍ୟ ପାଇଁ ୧୫ ଲକ୍ଷ ଆବାସ ଯୋଗାଇଦେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତିନି ବର୍ଷ ବିତିଯିବା ସତ୍ତ୍ବେ ରାଜ୍ୟକୁ କେବଳ ୮ ଲକ୍ଷ ଆବାସ ପ୍ରଦାନ କରାଯାଇଛି। ବଳକା ୭ ଲକ୍ଷ ଆବାସ ଶୀଘ୍ର ଯୋଗାଇଦେଲେ ଗ୍ରାମୀଣ ଓଡ଼ିଶାର ଗରିବ ବିଶେଷ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ରାଜ୍ୟର ଆଦିବାସୀଙ୍କ ସ୍ବାର୍ଥଜଡିତ ତିନୋଟି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଆଦିବାସୀ ସଂପ୍ରଦାୟଙ୍କ ୫ଟି ଭାଷା- ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ସେ ଦାବି କରିଥିଲେ।
ଏଥି ସହିତ ରାଜ୍ୟର ୧୬୯ ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ପ୍ରଦାନ କରିବା ଓ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସ୍ଟି ପ୍ରତ୍ୟାହର କରିବାକୁ ଦାବି କରିଥିଲେ। ସାଂସଦ ନିରଂଜନ ବିଶି ଟିଟିଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ବିଜେପି ସାଂସଦ ସୁରେଶ ପୂଜାରୀ ଓଡ଼ିଶାରେ ପ୍ରଶାସନକୁ ଅଧିକ ସ୍ବଚ୍ଛ ଓ କାର୍ଯ୍ୟକ୍ଷମ କରିବା ପାଇଁ ପଦ୍ମପୁରକୁ ନୂଆ ଜିଲ୍ଲା, ବ୍ରଜରାଜନଗରକୁ ନୂଆ ସବ୍ଡିଭିଜନ ତଥା ଝାରସୁଗୁଡ଼ା ଜିଲ୍ଲାରେ ଲଖନପୁର ଓ ବରଗଡ଼ ଜିଲ୍ଲାରେ ମେଲଛାମୁଣ୍ଡା ବ୍ଲକ୍ ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଲୋକସଭାରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ବାରା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମଂଜୁରୀ ପ୍ରଦାନ କରାଯାଇଥିବା ଦଶଟି ପ୍ରକଳ୍ପ- ୩ଟି ଫ୍ଲାଏଓଭର ଓ ୭ଟି ସେତୁର କାର୍ଯ୍ୟ ମନ୍ଥରତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଡିସେମ୍ବର ୩୦ ସୁଦ୍ଧା ୧୦ଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନ ହେଲେ ଆନ୍ଦୋଳନ ଓ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।