ବିଏସ୍‌ଏଫ୍‌ ମହିଳା ଡେଆରଡେଭିଲ୍ସ ସ୍କ୍ଵାଡ୍‌ରେ ୬ ଓଡ଼ିଆ

ଗଣରାଜ୍ୟ ଦିବସ ପ୍ୟାରେଡ୍‌ରେ ଦୁଃସାହସିକ କୌଶଳ ପ୍ରଦର୍ଶନ କରିବେ

ନୂଆଦିଲ୍ଲୀ : ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ରାଜପଥରେ ନିଜର କମାଲ୍‌ ଦେଖାଇବେ ବିଏସ୍‌ଏଫ୍‌ ମହିଳା ଡେଆରଡେଭିଲ୍ସ ସ୍କ୍ଵାଡ୍‌। ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପ୍ରଥମ ଥର ଲାଗି ବିଏସ୍‌ଏଫ୍‌ର ମହିଳା ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିବେ। ଉକ୍ତ ବିଏସ୍‌ଏଫ୍‌ ମହିଳା ଦଳର ନାମ ଦିଆଯାଇଛି ‘ସୀମା ଭବାନୀ’। ମାସେ ହେବ ଦିଲ୍ଲୀ ରାଜପଥରେ ଅଭ୍ୟାସ ଜାରି ରଖିଛନ୍ତି ଉକ୍ତ ବିଏସ୍‌ଏଫ୍‌ ମହିଳା ଦଳ। ଦଳରେ ସମୁଦାୟ ୧୦୬ ଜଣ ମହିଳା ବିଏସ୍‌ଏଫ୍‌ ଯବାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଝିଅ ରହିଛନ୍ତି।

ସେମାନେ ହେଉଛନ୍ତି କଟକର ବନିତା ଦାସ, ବଲାଙ୍ଗୀରର କ୍ରୀଷ୍ଣା ଗଡ଼ରିଆ, ଢେଙ୍କାନାଳର ମିତା ହାଁସଦା ଓ ଅନୁସୂୟା ସାମଲ ଏବଂ ସମ୍ବଲପୁରର ଦୁଇ ଭଉଣୀ ସୁକୁମଣି ଖଡ଼ିଆ ଓ ସୁବନ୍ତି ଖଡ଼ିଆ। ମିତା ହାଁସଦା ଡେଆରଡେଭିଲ୍ସ ବାଇକର ସ୍କ୍ଵାଡ୍‌ରେ ରାଇଡର ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟମାନେ ସହଯୋଗୀ ରୂପେ କାମ କରିବେ। ଏଭଳି ସାହସିକ କ୍ରୀଡ଼ା ପ୍ରଦର୍ଶନ ପାଇଁ ବିଏସ୍‌ଏଫ୍‌ ମହିଳା ଦଳ ଗତ ୧୫ ମାସରୁ ପ୍ରସ୍ତୁତି ଆରମ୍ଭ କରିଥିଲା। ରାଜପଥରେ ୨୬ଟି ବୁଲେଟ୍‌ରେ ୧୦୬ ଜଣ ବିଏସ୍‌ଏଫ୍‌ ମହିଳା ଯବାନମାନେ ଓମେନ୍‌ ସାଲ୍ୟୁଟ୍‌, ଫିସ ରାଇଡିଂ, ଶକ୍ତିମାନ୍‌, ସୀମା ପ୍ରହରୀ, ଗୁଲ୍‌ଦସ୍ଥା, ପିରାମିଡ୍‌ ଭଳି ୧୬ଟି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିବେ। ଏହି ମହିଳା ଦଳର ଗଠନ କରାଯାଇଥିଲା ଅକ୍ଟୋବର ୨୦, ୨୦୧୬ରେ। ଏମାନଙ୍କୁ ମଧ୍ୟପ୍ରଦେଶର ଟିକମ୍‌ପୁରରେ ପ୍ରଶିକ୍ଷଣ ଦିଆଯାଉଥିଲା।

ତେବେ ୧୦୬ ଜଣିଆ ଦଳ ଗଠନ ହେବା ସମୟରେ ୧୦ ଜଣ ମହିଳାଙ୍କୁ ସାଇକଲ ଚାଳନା ଆସୁଥିବାବେଳେ ୩ ଜଣଙ୍କୁ ସ୍କୁଟି ଚଳାଇବା ଜଣାଥିଲା। କିନ୍ତୁ ୪୦ ଜଣ ମହିଳା ଯବାନଙ୍କୁ ସାଇକେଲ୍‌ ମଧ୍ୟ ଚଳାଇବା ଜଣାନଥିଲା। ହେଲେ ସମସ୍ତଙ୍କର ଦୃଢ଼ ଆଗ୍ରହ ହେତୁ ସେମାନଙ୍କୁ ପ୍ରଶିକ୍ଷଣ ଦ୍ୱାରା ଦକ୍ଷ କରିବା ସମ୍ଭବ ହୋଇଛି। ପ୍ରଥମଥର ପାଇଁ ‘ସୀମା ଭବାନୀ’ ଦଳରେ ସାମିଲ ଥିବା ୬ ଜଣ ଓଡ଼ିଆ ମହିଳା ସେମାନଙ୍କ ଉତ୍ତମ ପ୍ରଦର୍ଶନ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ‘ସମ୍ବାଦ ’ ସହ କଥାବାର୍ତ୍ତାରେ ସେମାନେ କହିଛନ୍ତି ଦିଲ୍ଲୀ ରାଜପଥରେ ଦେଶ ବିଦେଶର ଅତିଥୀମାନଙ୍କ ଉପସ୍ଥିତିରେ ଡେଆରଡେଭିଲ୍ସ ବାଇକର୍ସ ସ୍କ୍ଵାଡରେ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବା ସୌଭାଗ୍ୟର କଥା। ଭାଗ୍ୟରେ ଥିଲେ ହିଁ ଏଭଳି ସୁଯୋଗ ମିଳେ। ଓଡ଼ିଆ ଭାବେ ଟିମ୍‌ରେ ସାମିଲ ହେବା ଅତ୍ୟନ୍ତ ଗର୍ବର କଥା କହି ୬ ଓଡ଼ିଆ ମହିଳା ଯବାନ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର