ଚେନ୍ନାଇ : ତାମିଲନାଡ଼ୁର ମଦୁରାଇରେ ଗୋଟିଏ ପରିବାରର ସମୁଦାୟ ୬ ଜଣ ଆତ୍ମହତ୍ୟା କରିଛନ୍ତି। ପରିବାରର ସମସ୍ତ ୮ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମଦୁରାଇର ଏହି ବ୍ୟବସାୟୀ ପରିବାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ଏବଂ ଆର୍ଥିକ ସଙ୍କଟ ହେତୁ ସେମାନେ ଆତ୍ମହତ୍ୟା କରିଥିବା ଜଣାଯାଇଛି। କୁରୁଞ୍ଜି କୁମାରନ ଏବଂ ତାଙ୍କ ଭାଇ ଭେଲୁମୁଗୁରାନ ଏକାଠି ତାମିଲନାଡ଼ୁର ୟାଗାପା ନଗରରେ ଗୋଟିଏ ଘରେ ରହୁଥିଲେ। ସେମାନେ ଆନ୍ନା ନଗରରେ ଏକ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କରୁଥିଲେ। ଏହାବାଦ୍‌ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ମଧ୍ୟ ସମ୍ପୃକ୍ତ ଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି କିନ୍ତୁ ଏ ବିଷୟରେ କିଛି ଜଣାଇନାହିଁ। ପଡ଼ୋଶୀମାନେ ସନ୍ଦେହ କରୁଛନ୍ତି ଯେ, ପରିବାର ସ୍କୁଲ୍‌ ପରିଚାଳନରେ ଯଥେଷ୍ଟ ଋଣ କରିଥିଲେ ଏବଂ ଋଣ ପରିଶୋଧ ନକରିପାରି ସେମାନେ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ରିଅଲ ଇଷ୍ଟେଟ୍‌ ବ୍ୟବସାୟ ମଧ୍ୟ ଭଲ ଚାଲିନଥିଲା। ତେବେ ସମସ୍ତ ପରିବାର ସଦସ୍ୟଙ୍କୁ ରବିବାର ଦିନ ସାରା ନଦେଖି ପଡୋଶୀ ରବିଚନ୍ଦ୍ରନ୍‌ ବ୍ୟସ୍ତ ହୋଇପଡ଼ିଲେ ଏବଂ ସନ୍ଧ୍ୟାବେଳେ ସେମାନଙ୍କ ଘର ବାହାରେ ସେମାନଙ୍କୁ ଡ଼ାକିଥିଲେ ମଧ୍ୟ କେହି ଉତ୍ତର ଦେଇନଥିଲେ। ଶେଷରେ ସେ ପଡୋଶୀଙ୍କ ସହଯୋଗରେ କବାଟ ଭାଙ୍ଗିଥିଲେ। ସେମାନେ ଦୁଇ ଭାଇ ସେମାନଙ୍କ ମା’ ଜଗଜୋଠି, କୁରୁଞ୍ଜିଙ୍କ ଝିଅ ଥରାନି ଏବଂ ଭେଲୁମୁରୁଗାନଙ୍କ ଝିଅ ଜୟାଶକ୍ତିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଭେଲୁମୁରୁଗାନ୍‌ଙ୍କ ପତ୍ନୀ ଦେବୀଙ୍କର ମେଡ଼ିକାଲରେ ମୃତ୍ୟୁ ହୋଇଯାଇଥିବାବେଳେ କୁରୁଞ୍ଜିଙ୍କ ପତ୍ନୀ ଥଙ୍ଗସେଲଭି ଏବଂ ଝିଅ ଜୟମୋନିକା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment