ମୁମ୍ବାଇ: କରୋନା କାଳରେ ସାରା ଦେଶରୁ ଦୈନିକ ଯେତିକି ସଂକ୍ରମିତ ଚିହ୍ନଟ ହେଉଥିଲେ ତାହାର ୪୦-୫୦ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଥିଲା । ଏହାସହ କରୋନା ସଂକ୍ରମଣରେ ମୃତ୍ୟୁହାର ସାରା ଦେଶ ତୁଳନାରେ ବି ମହାରାଷ୍ଟ୍ରରେ ସର୍ବାଧିକ ରହିଥିଲା । ଏବେ ସାଧାରଣ ଭାବେ କରୋନା ସଂକ୍ରମଣ କମିଥିବା ବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ମହାରାଷ୍ଟ୍ରରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ।
ମହାରାଷ୍ଟ୍ର ପିମ୍ପରୀ ଚିଂଚୱାଡରେ ସୋମବାର ଦିନ ଏକା ଥରକେ ୬ ଜଣ ଲୋକ କରୋନାର ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ମିଳିଛି । ଏହାସହ ୧୦ ଜଣ ଲୋକଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା କୁହାଯାଇଛି । ୬ଜଣଙ୍କୁ ମିଶାଇ ମହାରାଷ୍ଟ୍ରରେ ମୋଟ ୧୪ ଜଣ ଲୋକଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ପିମ୍ପରୀ ଚିଂଚୱଡ ମହାନଗର ପାଳିକାର କମିଶନର ରାଜେଶ ପାଟିଲ ସୋମବାର ଦିନ ସହରରେ ୬ ଜଣ ଲୋକଙ୍କଠାରେ କରୋନାର ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ସହରରେ ମୋଟ ୧୬ ଜଣ ଲୋକ କରୋନା ସଂକ୍ରମିତ ହୋଇଥିଲେ । ସେମାନଙ୍କର ନମୂନା ଜିନୋମ ସକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଏହା ମଧ୍ୟରୁ ୬ ଜଣ ଓମିକ୍ରନ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା କଥା କୁହାଯାଇଛି ।
ଅନ୍ୟପଟେ ରାଜେଶ ପାଟିଲ କହିଛନ୍ତି କି, ଖୁବଶୀଘ୍ର ସହରରେ ନୂଆ ଗାଇଡଲାଇନ ଜାରି କରାଯାଇ ଲୋକଙ୍କୁ ଭିଡ ନକରିବାକୁ ଅନୁରୋଧ କରାଯିବ । ଏହାସହ କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।