ବିକ୍ରମ ସମ୍ବତ୍‌ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ

୬ ପୁଲିସ ସମେତ ୧୮ ଆହତ

ପାଟନା: ବିହାରର ଭାଗଲପୁରରେ ଶନିବାର ରାତିରେ ବିକ୍ରମ ସମ୍ବତ୍‌ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀ ସମେତ ୧୮ ଜଣ ଆହତ ହୋଇଥିବା ବେଳେ ଭାଗଲପୁରରେ ଉତ୍ତେଜନା ଲାଗିରହିଛି। ସାରା ଇଲାକାରେ ବ୍ୟାପକ ପୁଲିସ ବଳ ମୁତୟନ ହୋଇଥିବା ବେଳେ ଘଟଣାର ଅପପ୍ରଚାର ଓ ପ୍ରସାର ଯୋଗୁଁ ଦଙ୍ଗା ବ୍ୟାପିବା ଆଶଙ୍କାରେ ଇଣ୍ଟନେଟ୍‌ ସେବାକୁ ବିଚ୍ଛିନ୍ନ କରାଯାଇଛି।

ସୂଚନାନୁଯାୟୀ, ଶନିବାର ରାତିରେ ଗୋଟିଏ ଗୋଷ୍ଠୀର ଲୋକେ ବିକ୍ରମ ସମ୍ବତ୍‌ ପାଳନ ପାଇଁ ଭାଗଲପୁରର ବୁଦ୍ଧନାଥ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରୁଥିବା ବେଳେ ଉଚ୍ଚ ଶବ୍ଦରେ ସଂଗୀତ ପରିବେଷଣ ଚାଲିଥିଲା। ତେବେ ଶୋଭାଯାତ୍ରା ମେଦିନୀନଗର ଛକ ଡେଉଁଥିବା ବେଳେ ଏହାକୁ ଭିନ୍ନ ସମ୍ପ୍ରଦାୟର କିଛି ଲୋକ ବିରୋଧ କରିଥିଲେ। ଫଳରେ କଥା କଟାକଟି ପରେ ଭୀଷଣ ଯୁକ୍ତିତର୍କ ସାଙ୍ଗକୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ପରସ୍ପରକୁ ଟେକାପଥର ମାଡ଼ ସହ ୫୦ ରାଉଣ୍ଡ ଗୁଳି ଫୁଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଏଥିରେ ସଂଖ୍ୟାଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଏକ ବାଇକ୍‌ରେ ନିଆଁ ଲଗାଇଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ତଥାପି ସ୍ଥାନୀୟ ନାଥନଗର ଏବଂ ମାବଲଖାସ ଇଲାକାରେ ଚାପା ଉତ୍ତେଜନା ଲାଗି ରହିଛି। ଟେକାପଥର ମାଡ଼ରେ ୬ ଜଣ ପୁଲିସ କର୍ମୀ ସମେତ ଉଭୟ ପକ୍ଷର ଅତି କମ୍‌ରେ ୧୮ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ଘଟଣାର ତନାଘନା ଚଳାଇଥିବା ବେଳେ ଗୋଷ୍ଠୀ ସଂଘର୍ଷକୁ ଉସୁକାଇଥିବା ତତ୍ତ୍ୱଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ନେବ ବୋଲି କହିଛି।

ସମ୍ବନ୍ଧିତ ଖବର