୬ ରାଜ୍ୟରେ ରାଜ୍ୟପାଳ ବଦଳିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ୪ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିବା ବେଳେ ୨ ରାଜ୍ୟର ରାଜ୍ୟପାଳ ବଦଳି ହୋଇଛନ୍ତି । ପଶ୍ଚିମବଙ୍ଗ, ବିହାର , ନାଗାଲାଣ୍ଡ୍‌ ଏବଂ ତ୍ରିପୁରାରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲଙ୍କୁ ଉତ୍ତରପ୍ରଦେଶକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ଲାଲ୍‌ଜି ଟଣ୍ଡନ୍‌ଙ୍କୁ ମଧ୍ୟପ୍ରଦେଶ ବଦଳି କରାଯାଇଛି। ବରିଷ୍ଠ ସୁପ୍ରିମକୋର୍ଟ ଆଇନଜୀବୀ ଜଗଦୀପ ଧନକଡ଼ (୬୮) ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଛତିଶଗଡ଼ର ବରିଷ୍ଠ ବିଜେପି ନେତା ରମେଶ ବୈସ ତ୍ରିପୁରାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ଅବସରପ୍ରାପ୍ତ ଆଇବି ସ୍ବତନ୍ତ୍ର ନିର୍ଦ୍ଦେଶକ ଏନ୍‌ ରବି ନାଗାଲାଣ୍ଡ୍‌ର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଫଗୁ ଚୌହାନ୍‌ ବିହାରର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

୬୮ ବର୍ଷୀୟ ଜଗଦୀପ ଧନକଡ଼ ୧୯୯୦-୯୧ରେ କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ। ଧନକଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସ୍ଥାନରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କେଶରୀନାଥଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହର ଶେଷ ଆଡ଼କୁ ସରୁଛି। ବିଜେପି ନେତା ରମେଶ ବୈଶ ତ୍ରିପୁରା ରାଜ୍ୟପାଳ କପ୍ତାନ ସିଂହ ସୋଲାଙ୍କିଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସୋଲାଙ୍କି ୨୦୧୪ ଜୁଲାଇରୁ ହରିୟାଣା ରାଜ୍ୟପାଳ ଥିଲେ ଏବଂ ପରେ ସେ ତ୍ରିପୁରା ରାଜ୍ୟପାଳ ହୋଇଥିଲେ। ସେହିପରି ପଦ୍ମନାଭ ଆଚାର୍ଯ୍ୟଙ୍କ ସ୍ଥାନରେ ଏନ୍‌ ରବି ନାଗାଲାଣ୍ଡ୍‌ର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଏନ୍‌ ରବି ୧୯୭୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ଫଗୁ ଚୌହାନ୍‌ ବିହାର ରାଜ୍ୟପାଳ ଲାଲ୍‌ଜି ଟଣ୍ଡନ୍‌ଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ୭୭ ବର୍ଷୀୟା ଆନନ୍ଦୀ‌ବେନ୍‌ ଗତ ୨୦୧୮ ଜାନୁଆରିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶ ବଦଳି କରାଯାଇଛି। ବରିଷ୍ଠ ବିଜେପି ନେତା ଲାଲ୍‌ଜି ଟଣ୍ଟନ୍‌ଙ୍କୁ ଗତବର୍ଷ ଅଗଷ୍ଟରେ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର