ଶ୍ରୀନଗର : ଜମ୍ମୁ-କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲା କେରାନ୍ ସେକ୍ଟରରେ ଆଜି ବିଏସ୍ଏଫ୍ ଯବାନ ପାକ୍ ଆତଙ୍କବାଦୀଙ୍କ ବଡ଼ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି। ବିଏସ୍ଏଫ୍ କାର୍ଯ୍ୟାନୁଷ୍ଠାନରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ତେବେ ସେନାର ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଆଉ କିଛି ଆତଙ୍କବାଦୀ ଯେଉଁମାନେ ଅନୁପ୍ରବେଶ ଅପେକ୍ଷାରେ ରହିଥିଲେ ସେମାନେ ପାକିସ୍ତାନ ପଟକୁ ପଳାଇଥିବା ଜଣାପଡ଼ିଛି। ବିଗତ କିଛି ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ଅନୁପ୍ରବେଶ ଉଦ୍ୟମ ବୋଲି ବିଏସ୍ଏଫ ପକ୍ଷରୁ କୁହାଯାଇଛି। ବିଗତ ୧୫ ଦିନ ମଧ୍ୟରେ କଶ୍ମୀର ଘାଟିରେ ସେନାକୁ ବଡ଼ ଧରଣର ସଫଳତା ମିଳିଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ ଜଣ ଆତଙ୍କବାଦୀ ସେନା ଗୁଳିରେ ନିପାତ ହୋଇଛନ୍ତି।
ମିଳିଥିବା ଖବର ମୁତାବକ, ଆଜି ଭୋର୍ରୁ ଅନ୍ଧାରର ସୁଯୋଗ ନେଇ ଏହି ଆତଙ୍କବାଦୀମାନେ ଭାରତରେ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ପୂର୍ବରୁ ଗଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା। ସଜାଗ ଯବାନମାନେ ଆତଙ୍କବାଦୀଙ୍କୁ ଠାବ କରିବା କ୍ଷଣି ଗୁଳିମାଡ଼ କରିଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିମାଡ଼ ହେବାପରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ୫ ଜଣ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି। ଉଲ୍ଳେଖଯୋଗ୍ୟ, ୨ ଦିନ ପୂର୍ବେ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଥିଲେ ଏବଂ ଆଉ ଦୁଇ ଜଣ ଯାବନ ଗୁରୁତର ଆହତ ହୋଇଥିଲେ। ରମଜାନ ପାଇ ସେନା ପକ୍ଷରୁ ଅସ୍ତ୍ରବିରତି ଲାଗୁ କରାଯାଇଥିବା ସତ୍ତ୍ୱେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି ଏବଂ ସେନା ମଧ୍ୟ ଏହାର କଡ଼ା ଜବାବ ଦେଉଛି।