ନୂଆଦିଲ୍ଲୀ: ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟର ୬ ଜଣ ବିଚାରପତି ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଘଟଣା ଏବେ ସୁପ୍ରିମ୍ କୋର୍ଟ ପରିସରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମ୍ କୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େଙ୍କୁ ସାକ୍ଷାତ କରି ସୁପ୍ରିମ୍ କୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଏଚ୍୧ଏନ୍୧ ଭାଇରସ୍ (ସ୍ୱାଇନ୍ ଫ୍ଳୁ)ର ପ୍ରତିଷେଧକ ଟୀକା ଦେବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।
ଏହି ଘଟଣାରେ ପ୍ରଧାନ ବିଚାରପତି ଏସ୍ ଏ ବୋବ୍ଡ଼େ ମଧ୍ୟ ଉଦ୍ବେଗ ପ୍ରକାଶ କରିବା ସହ ଅନ୍ୟ ବିଚାରପତିମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ ଡକାଇ ଆଲୋଚନା କରି ସାରିବା ପରେ ସୁପ୍ରିମ୍ କୋର୍ଟ ବାର୍ କାଉସିଲ୍ର ସଭାପତିଙ୍କୁ ଡକାଇ ତାଙ୍କ ସହ ମଧ୍ୟ ଏ ପ୍ରକାର ପରିସ୍ଥିତି ସଂପର୍କରେ ଆଲୋଚନା କରିଥିବା ଜାଣିବାକୁ ମିଳିଛି।