ଲକ୍ଷ୍ନୌ: ୨୩ ବର୍ଷ ତଳେ ୧୫,୦୦୦ ଟଙ୍କା ଲାଞ୍ଚ ନେଇଥିବା ଜଣେ ୧୯୮୯ ବ୍ୟାଚ୍ ‘ଇଣ୍ଡିଆନ୍ ରେଭିନ୍ୟୁ ସର୍ଭିସେସ୍’ (ଆଇଆର୍ଏସ୍) ଅଧିକାରୀଙ୍କୁ ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଟ୍ରାଏଲ୍ କୋର୍ଟ ୬ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଅଦାଲତ ତାଙ୍କ ଉପରେ ୧.୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
Image Courtesy of India Todayସଂଗୃହୀତ ସୂଚନା ଅନୁସାରେ, ନିର୍ଦ୍ଧାରିତ ‘ଫର୍ମାଟ୍ ୩୪(ଏ)ରେ ଜଣେ ବ୍ୟକ୍ତିଙ୍କୁ ‘ନୋ ଡ୍ୟୁଜ୍ ସାର୍ଟିଫିକେଟ୍’ (କୌଣସି ଦେୟ ବାକି ନ ଥିବା ପ୍ରମାଣପତ୍ର) ଦେବା ପାଇଁ ସେତେବେଳେ ଲକ୍ଷ୍ନୌ ‘ଆୟକର ବିଭାଗ’ରେ ଡେପୁଟି କମିସନର୍ ଥିବା ‘ଆଇଆର୍ଏସ୍’ ଅଧିକାରୀ ଅରବିନ୍ଦ ମିଶ୍ରା ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଉକ୍ତ ବ୍ୟକ୍ତିଜଣକ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ୧୯୯୯ ନଭେମ୍ବର ୨୯ ତାରିଖରେ ‘ସିବିଆଇ’ ଅରବିନ୍ଦ ମିଶ୍ରାଙ୍କ ନାମରେ ମାମଲା ରୁଜୁ କରିଥିଲେ।
Image Courtesy of The Indian Expressଲାଞ୍ଚ ମାଗିବାର ପରଦିନ ଆଗୁଆ ପ୍ରସ୍ତୁତ ‘ସିବିଆଇ’ ଅଧିକାରୀମାନେ ମିଶ୍ରାଙ୍କୁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ଅବସ୍ଥାରେ ଧରିଥିଲେ। ତଦନ୍ତ ପରେ ମିଶ୍ରାଙ୍କ ନାଁରେ ଲକ୍ଷ୍ନୌର ‘ସିବିଆଇ ମାମଲା’ର ସ୍ବତନ୍ତ୍ର ବିଚାରପତିଙ୍କ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
‘ସିବିଆଇ’ର ମୁଖପାତ୍ର ଆର୍. ସି. ଯୋଶୀ କହିଛନ୍ତି, ଏ ସଂକ୍ରାନ୍ତରେ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିସନ୍ ପଡ଼ିରହିଥିବାରୁ ଏହି ମାମଲା ବିଚାର ପାଇଁ ଦୀର୍ଘ ଦିନ ଲାଗିଲା। ଅଭିଯୁକ୍ତ ଦାଏର କରିଥିବା ପିଟିସନ୍ଗୁଡ଼ିକୁ ‘ସିବିଆଇ’ର ଓକିଲମାନଙ୍କୁ ସେହି ଅନୁସାରେ ମୁକାବିଲା କରିବାକୁ ପଡ଼ିଥିଲା। ଏହି ମାମଲାରେ ଥିବା ‘ମେରିଟ୍’କୁ ‘ଟ୍ରଏଲ୍ କୋର୍ଟ’ ଏବଂ ‘ହାଇକୋର୍ଟ’ଙ୍କୁ ବୁଝାଇବାରେ ‘ସିବିଆଇ’ ସଫଳ ହେବା ପରେ ଯାଇ ଅଭିଯୁକ୍ତଙ୍କ ପିଟିସନ୍ ସବୁ ଖାରଜ କରାଯିବା ସହ ତାଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ରଦ୍ଦ କରାଯାଇଥିଲା।
‘ସିବିଆଇ’ ଉପସ୍ଥାପନ କରିଥିବା ପ୍ରମାଣକୁ ଭିତ୍ତିକରି ଗତ ସୋମବାର ଦିନ ‘ଟ୍ରାଏଲ୍ କୋର୍ଟ’ ମିଶ୍ରାଙ୍କୁ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Six-Years-Jail_Thumbnail.jpg)