ଘର ବାହାରେ ଖେଳୁଥିବା ବେଳେ ଆକ୍ରମଣ କଲେ ଦଳେ କୁକୁର, ୫ଟି ହସ୍ପିଟାଲ୍‌କୁ ନେବା ପରେ ବି ଚାଲିଗଲା ନାବାଳିକାଙ୍କ ଜୀବନ

ହାଇଦ୍ରାବାଦ୍‌: ତେଲେଙ୍ଗାନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦଳେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୬ ବର୍ଷୀୟା ନାବାଳିକାର ଜୀବନ ଯାଇଛି। ଦୁର୍ଭାଗ୍ୟର କଥା ହେଉଛି ନାବାଳିକାଟିକୁ ବଞ୍ଚାଇବା ପାଇଁ ୫ଟି ହସ୍ପିଟାଲ୍‌କୁ ନିଆଯିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କୁକୁର ଆକ୍ରମଣରେ ଆହତ ହୋଇଥିବା ନାବାଳିକାଙ୍କ ଜୀବନ ଶେଷରେ ଚାଲିଯାଇଛି।

ମେଡ୍‌ଚାଲ୍‌-ମାଲକାଜଗିର୍‌ ଜିଲ୍ଲାର ଏହି ନାବାଳିକା ଜଣକ ନିଜ ଘର ବାହାରେ ଖେଳୁଥିବା ଅବସ୍ଥାରେ ଏପରି ଦୁର୍ଘଟଣା ଘଟିଥିଲା। ଶନିବାର ସକାଳେ ପିଲାଟି ଖେଳୁଥିବା ବେଳେ ପ୍ରାୟ ୪ରୁ ୫ଟି କୁକୁର ଆସି ତାଙ୍କୁ ଘେରି ଯାଇ ଆକ୍ରମଣ କରିଥିଲେ।

ସେ କୁକୁର ଆକ୍ରମଣରେ ଗୁରୁତର ଆହତ ହେବା ପରେ ତାଙ୍କୁ ପ୍ରଥମେ ଆଦିତ୍ୟ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଦୀର୍ଘ ୨ ଘଣ୍ଟା ଧରି ଚିକିତ୍ସା କରିବା ପରେ ଡାକ୍ତରମାନେ ତାଙ୍କୁ ଅଙ୍କୁର ହସ୍ପିଟାଲ୍‌କୁ ନେଇଯିବା ପାଇଁ ପରିବାର ‌ଲୋକଙ୍କୁ କହିଥିଲେ। ସେଠାରେ ୩ ଘଣ୍ଟା ଚିକିତ୍ସିତ ହେବା ପରେ ନାବାଳିକାଙ୍କୁ ଯଶୋଦା ହସ୍ପିଟାଲ୍‌କୁ ନେଇଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ମାତ୍ର ସେଠାକାର ଡାକ୍ତରମାନେ ବି ତାଙ୍କୁ ଫେରାଇ ଦେଇଥିଲେ।

ndtv

ଯଶୋଦା ହସ୍ପିଟାଲ୍‌ରେ ଭର୍ତ୍ତି ହେବାର ସୁଯୋଗ ନପାଇବାରୁ ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ଫିବର୍‌ ହସ୍ପିଟାଲ୍‌କୁ ନେଇଗଲେ ଓ ସେଠାରୁ ଶେଷରେ ନିଲୋଫର ହସ୍ପିଟାଲ୍‌କୁ ନାବାଳିକାଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ନିଲୋଫର୍‌ ହସ୍ପିଟାଲ୍‌ରେ ଝିଅଟିର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତାଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ମୁନିସିପାଲ୍‌ କମିସନର୍‌ ଶଶାଙ୍କ।

ସମ୍ବନ୍ଧିତ ଖବର