ବୋମା ଅଛି ବୋଲି ବିମାନ ବନ୍ଦରକୁ ମିଛରେ ଫୋନ୍‌ କଲା ୬ ବର୍ଷିୟ ବିହାରୀ ବାଳକ

ପାଟନା: ବିମାନ ବନ୍ଦରରେ ବୋମାଟିଏ ଖଞ୍ଜା ହୋଇଛି ବୋଲି ସେପ୍ଟେମ୍ବର ୭ ତାରିଖ ଦିନ ମିଛରେ ଫୋନ୍‌ କରିଥିବା ବ୍ୟକ୍ତି ଜଣକ ହେଉଛି ଜଣେ ୬ ବର୍ଷିୟ ବାଳକ।

ପାଟନା ସଚିବାଳୟ ଡିଏସ୍‌ପି ରାଜେଶ ସିଂହ ପ୍ରଭାକର ସାମ୍ବାଦିକମାନଙ୍କୁ କହିଛନ୍ତି ପୁଲିସ ତଦନ୍ତରୁ ଜଣାପଡ଼ିଲା ଯେ ଗୟା ଜିଲ୍ଲାର ବେଲାଗଞ୍ଜରୁ ଫୋନ୍‌ ଆସିଥିଲା।

ଅପରାଧ ଭିତ୍ତିକ ଏକ ଟିଭି ସିରିଏଲ୍‌ ଦେଖି ସାରିବା କ୍ଷଣି ପ୍ରଥମ ଶ୍ରେଣୀରେ ପଢୁଥିବା ପିଲାଟି ଝରକା ବାଟେ ଦେଖିଲା ଆକାଶରେ ବିମାନଟାଏ ଯାଉଛି। ସେ ତା’ ମାଆକୁ ପଚାରିଲା ଯେ ସେଇଟା କେଉଁଠି ଓହ୍ଲାଇବ। ମାଆ କହିଲେ ପାଟନାରେ।

ତା’ପରେ ପିଲାଟି ଗୁଗଲ୍‌ରେ ପାଟନା ଏୟାର୍‌ପୋର୍ଟର କଣ୍ଟାକ୍ଟ୍‌ ଡିଟେଲ୍‌ ଖୋଜି ପାଇବା ପରେ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ଫୋନ୍‌ କରିଥିଲା।

କଲ୍‌ କରିଥିବା କଥା ବାଳକଟି ଡିଏସ୍‌ପିଙ୍କ ନିକଟରେ ମାନିବା ସହ କେମିତି ଗୁଗଲ୍‌ରୁ ନମ୍ବର ଖୋଜି ପାଇଥିଲା ତାହା ମଧ୍ୟ କରି ଦେଖାଇଲା। ଫୋନ୍‌ କଲ୍‌ ଆଟେଣ୍ଡ୍‌ କରିଥିବା ବ୍ୟକ୍ତିଜଣକ ମଧ୍ୟ ନିଶ୍ଚିତ କରି କହିଲେ କି, ପିଲାର କଣ୍ଠସ୍ୱର ସେଦିନ ଫୋନ୍‌ କରିଥିବା ବ୍ୟକ୍ତିଙ୍କ କଣ୍ଠସ୍ୱର ସହ ମେଳ ଖାଉଛି।

ଏଭଳି ଘଟନାର ପୁନରାବୃତ୍ତି ହେବ ନାହିଁ ବୋଲି ଅଭିଭାବକ ଏକ ବଣ୍ଡ୍‌ରେ ଦସ୍ତଖତ କରି ଦେବା ପରେ ପିଲାଟିକୁ ଛାଡ଼ି ଦିଆ ଯାଇଛି।

ସମ୍ବନ୍ଧିତ ଖବର