ଚାଦ୍ : ପୁଲିସ ଗୁଳିରେ ୬୦ ଆନ୍ଦୋଳନକାରୀ ମୃତ

ଏନ’ଜାମେନା : କେନ୍ଦ୍ର ଆଫ୍ରିକୀୟ ଦେଶ ଚାଦରେ ଗଣତନ୍ତ୍ର ସମର୍ଥନରେ ଆନ୍ଦୋଳନ କରୁଥିବା ଲୋକମାନଙ୍କ ଉପରେ ପୁଲିସ ଗୁ​ଳି ଚଳାଇବାରୁ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି ।  ଏହି ଦେଶକୁ ଶାସନ କରୁଥିବା ମିଲିଟାରୀ କାଉନସିଲ ଦେଶରେ ହେବାକୁ ଥିବା ନିର୍ବାଚନକୁ ୨୦୨୪କୁ ଘୁଞ୍ଚାଇବା ପରେ ଏହି ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ହିଂସାକାଣ୍ଡକୁ ଆଫ୍ରିକୀୟ ୟୁନିଅନର ସମାଲୋଚନା କରିଛି ।

ବର୍ତ୍ତମାନ ଶାସନ କରୁଥିବା ଜେନେରାଲ ମହମ୍ମଦ ଇଦ୍ରିସ୍ ଡେବିଙ୍କ ଅନ୍ତରୀଣ କାର୍ଯ୍ୟକାଳକୁ ଆଉ ୨ ବର୍ଷ ବୃଦ୍ଧିକୁ ବିରୋଧ କରି ରାଜନୈତିକ ଦଳ ଓ ସାଧାରଣ ନାଗରିକମାନେ ରାସ୍ତାକୁ ଓହ୍ଲାଇ ଥିଲେ । ଏହି ଆନ୍ଦୋଳନ ହିଂସାରେ ପରିଣତ ହେବା ପରେ ତାହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ଗୁଳି ଚଳାଯାଇଥିଲା । ଏଥିରେ ୬୦ରୁ ଅଧିକ ଲୋକ ନିହତ ହେବା ସହ ୩୦୦ ଲୋକ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ରାଜଧାନୀ ଏନ’ଜାମେନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି ।

ଏହି ଦେଶରେ ଗତ ପ୍ରାୟ ୩୦ ବର୍ଷ ଧରି ଶାନ୍ତି ଓ ସ୍ଥିରତା ରହିଥିଲା । ଏହି ୩୦ ବର୍ଷ ଧରି ଏଦ୍ରିସ୍ ଡେବି ଶାସନ କରୁଥିଲେ । କିନ୍ତୁ ୨୦୨୧ରେ ତାଙ୍କର ହତ୍ୟା ପରେ ଏହି କ୍ଷୁଦ୍ର ଦେଶ ରାଜନୈତିକ ଅସ୍ଥିରତା ମଧ୍ୟକୁ ଚାଲିଯାଇଥିଲା । ମହମ୍ମଦ ଇଦ୍ରିସ୍ ଡେବିଙ୍କ ଅଧ୍ୟକ୍ଷତାରେ ଥିହା ସାମରିକ ପରିଷଦ ଏବେ ଶାସନ କରୁଛି ।

 

ସମ୍ବନ୍ଧିତ ଖବର