ଜଙ୍ଗଲୀ ରାସ୍ତାରେ ବସକୁ ଗୋଡ଼ାଇଲା ହାତୀ ! ଡ୍ରାଇଭର ଅଧକିଲୋମିଟର ଧରି ପଛୁଆ ଚଲେଇଲେ; ଜାଣନ୍ତୁ କେମିତି ଜୀବନ ବଞ୍ଚାଇଲେ ଯାତ୍ରୀ  

ବେଙ୍ଗାଲୁରୁ:  ଜଙ୍ଗଲୀ ରାସ୍ତାରେ ଯାଉଥିଲା ବସ୍ । ହାତୀ ଆସି ଛିଡ଼ା ହୋଇଗଲା ସାମ୍ନାରେ। ତା’ପରେ ମାଡ଼ି ଆସିଲା ବସ ଆଡ଼କୁ। ଭାବନ୍ତୁ କ’ଣ ହୋଇଥିବ ଏଥିରେ ବସିଥିବା ଯାତ୍ରୀଙ୍କ ଅବସ୍ଥା! ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । କର୍ଣ୍ଣାଟକ ରାଜ୍ୟ ପରିବହନର ଏକ ବସ୍  ଚମରାଜନଗରରୁ କେରଳର କାଲିକଟ୍ ଅଭିମୁଖେ ଯାଉଥିବା ଏକ ବସ୍ ବାନ୍ଦିପୁର ଅଭୟାରଣ୍ୟ ଜଙ୍ଗଲ ଅଞ୍ଚଳ ଦେଇ ଯାଉଥିଲା ଆଉ ଏତିକି ବେଳେ ଦେଖିବାକୁ ମିଳିଥିଲା ଏହି ଲୋମଟାଙ୍କୁରା ଦୃଶ୍ୟ। ଏକ ହାତୀପଲ ରାସ୍ତା ପାର ହେଉଥିଲେ। ସେ ମଧ୍ୟରୁ ଗୋଟିଏ ମାଈ ହାତୀ ଯାତ୍ରୀବାହୀ ବସକୁ ଦେଖି ବାଟଭାଙ୍ଗି ମାଡ଼ି ଆସିଥିଲା ।


ETV Andhra Pradesh

ବସର ସାମନା ପଟୁ ହାତୀଟି ମାଡି ଆସୁଥିଲା ।  ଭୟରେ ବସ୍ ଡ୍ରାଇଭର ପଛକୁ ପଛକୁ ଗଡାଉଥିଲେ ବସକୁ ।  ପ୍ରାୟ ଅଧା କିଲୋମିଟର ପର୍ଯ୍ୟନ୍ତ ବସକୁ ଏମିତି ଗୋଡାଇଥିଲା ହାତୀଟି । ଏପରିକି ଗୋଟିଏ ସମୟରେ ହାତୀର ଶୁଣ୍ଢ ବସ୍ ଡ୍ରାଇଭର ପାଖରେ ପହଞ୍ଚି ଯାଇଥିଲା । ଆଉ ହାତୀଟି ବସକୁ ଠେଲିବାରେ ଲାଗିଥିଲା । ବସ ଭିତରେ ଥିବା ଯାତ୍ରୀମାନେ ବି ଏପରି ଘଟଣାରେ ଭୟଭୀତ ହୋଇ ଚିତ୍କାର କରିବାରେ ଲାଗି ପଡିଥିଲେ । କ’ଣ ଘଟିବ ବୋଲି ଯାତ୍ରୀ ଚିନ୍ତା କରୁଥିବା ବେଳେ ଏକ ଚମତ୍କାର ହେଲା। ହାତୀଟି ମନକୁ ମନ ବସକୁ ଛାଡ଼ି ଜଙ୍ଗଲକୁ ଫେରିଯାଇଥିଲା। ସୌଭାଗ୍ୟବଶତଃ କୌଣସି ବଡ ଅଘଟଣ ଘଟି ନଥିଲା ଓ ବସଟି ସୁରକ୍ଷିତ ଅବସ୍ଥାରେ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର