ଷଷ୍ଠ ପର୍ଯ୍ୟାୟରେ ୬୦% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ୭୮% ‌

ଭୋଟ୍ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଆଜି ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୬ ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍‌ ୫୮ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ନିର୍ବାଚନ କମିସନଙ୍କ ଭୋଟର୍‌ ଟର୍ନଆଉଟ୍‌ ଆପ୍‌ ଅନୁଯାୟୀ ଷଷ୍ଠ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୭୭.୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଆଜି ବିହାର ଏବଂ ପଶ୍ଚିମବଙ୍ଗରେ ୮ଟି ଲେଖାଏଁ ଆସନ, ଦିଲ୍ଲୀରେ ୭, ହରିୟାଣାରେ ୧୦, ଓଡ଼ିଶାରେ ୬, ଝାଡ଼ଖଣ୍ଡରେ ୪, ଉତ୍ତରପ୍ରଦେଶରେ ୧୪, ଜମ୍ମୁ କାଶ୍ମୀରରେ ଅନନ୍ତନାଗ -ରାଜୌରୀ ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଷଷ୍ଠ ପର୍ଯ୍ୟାୟ ଭୋଟ୍‌ ଶେଷ ହେବା ସହ ମୋଟ୍‌ ୫୪୩ ଲୋକସଭା ଆସନରୁ ୪୮୬ଟିରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।

ଦିଲ୍ଲୀରେ ବିଜେପି ଏବଂ ଆପ୍‌-କଂଗ୍ରେସ ମେଣ୍ଟର ଲଢ଼େଇ ଉପରେ ସାରା ଦେଶର ନଜର ରହିଛି। ଆଜି ‌ଭୋଟ୍‌ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ଜମ୍ମୁ କାଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅଧୀନସ୍ଥ ମେନ୍ଧରରେ ଆଜି ଏକ ଭୋଟିଂ ବୁଥ୍‌ ବାହାରେ ୨ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି। ଫଳରେ ୪ ଜଣ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆଜି ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସା ଉପୁଜିଛି। ଘଟଲ ଏବଂ କାନ୍ଥିରେ ଶାସକ ଟିଏମ୍‌ସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି, ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଓ ଇନ୍ଦ୍ରଜିତ ସିଂହ, ମେନକା ଗାନ୍ଧୀ, ସମ୍ବିତ ପାତ୍ର, ମନୋହର ଲାଲ୍‌ ଖଟ୍ଟର, ମନୋଜ ତିୱାରୀ, ମେହବୁବ‌ା ମୁଫ୍‌ତି। ଏହି ପର୍ଯ୍ୟାୟ ଏନଡିଏ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆଜି ଭୋଟ୍‌ ଗ୍ରହଣ ହୋଇଥିବା ୫୮ଟି ଆସନ ମଧ୍ୟରୁ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ୪୦ଟିରେ ଜିତିଥିଲା।

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ଆଜି ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ସେ ମତଦାନ କରିଥିଲେ। ଭୋଟଦାନ ପରେ ରାଷ୍ଟ୍ରପତି ନିଜର କାଳି ଲଗାଯାଇଥିବା ଅଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ‘ଗ୍ରିନ୍‌ ଆର୍ଥ’ ଥିମ୍‌ ଆଧାରିତ ଏହି ମଡେଲ୍‌ ମତଦାନ କେନ୍ଦ୍ରର ପରିଚାଳନା ଦାୟିତ୍ବରେ କେବଳ ମହିଳା ପୋଲିଂ କର୍ମୀମାନେ ନି‌ୟୋଜିତ ହୋଇଥିଲେ। ରାଷ୍ଟ୍ରପତି ପଦରେ ରହି ଲୋକସଭା ନିର୍ବାଚନରେ ପୂର୍ବରୁ ଭୋଟଦାନ କରିଥିବା ରାଷ୍ଟ୍ରପତିଙ୍କ ତାଲିକାରେ ଶ୍ରୀମତୀ ମୁର୍ମୁଙ୍କ ନାମ ସାମିଲ ‌ହୋଇଛି। ଏ କ୍ଷେତ୍ରରେ ଶ୍ରୀମତୀ ମୁର୍ମୁ ହେଉଛନ୍ତି ପଞ୍ଚମ ରାଷ୍ଟ୍ରପତି।

ରାଜନୈତିକ ନିରପେକ୍ଷତାକୁ ବଜାୟ ରଖିବା ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରା‌ଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ନବମ ରାଷ୍ଟ୍ରପତି ଡ. ଶଙ୍କର ଦୟାଲ ଶର୍ମା ଲୋକସଭା ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିନଥିଲେ। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଡ. ଜାକିର ହୁସେନ, ଭିଭି ଗିରି, ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ, ଆର୍. ଭେଙ୍କେଟରମଣ, ଜ୍ଞାନୀ ଜୈଲ ସିଂହ ଓ ନିଲମ ସଂଜୀବ ରେଡ୍ଡୀ ଲୋକସଭା କିମ୍ବା ଅନ୍ୟ କୌଣସି ନିର୍ବାଚନରେ ଭୋଟଦାନ କରିନଥିଲେ। ଭାରତର ଦଶମ ରାଷ୍ଟ୍ରପତି ଡ. କେଆର୍‌ ନାରାୟଣନ୍ ୧୯୯୮ ସଂସଦୀୟ ନିର୍ବାଚନରେ ଭୋଟଦାନ କରି ଏହି ପରମ୍ପରାକୁ ଭାଙ୍ଗିଥିଲେ । ଏହା ପରେ ତତ୍କାଳୀନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ, ପ୍ରତିଭା ସିଂହ ପାଟିଲ ଓ ରାମନାଥ କୋବିନ୍ଦ ଭୋଟଦାନ କରିଥିଲେ। ତେବେ ୨୦୧୪ ଲୋକସଭା ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଭୋଟଦାନ କରିନଥିଲେ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ଭବନ ଭିତରକୁ କୌଣସି ରାଜନୈତିକ ଦଳ କିମ୍ବା ସେମାନଙ୍କ ନେତା ନିର୍ବାଚନ ପ୍ରଚାର ପାଇଁ ଯାଆନ୍ତି ନାହିଁ।

ସମ୍ବନ୍ଧିତ ଖବର