ମୁମ୍ବାଇ : କରୋନା ମହାମାରୀ ବେଳେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ଆବଶ୍ୟକତା ବଢ଼ିଯାଇଥିବାବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୬୦୦ ଡାକ୍ତରଙ୍କର ପତ୍ତା ମିଳୁନାହିଁ। ନିଖୋଜ ମେଡିକାଲ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହାରାଷ୍ଟ୍ର ସରକାର ଚିନ୍ତା କରୁଛନ୍ତି। ରାଜ୍ୟର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ମହାରାଷ୍ଟ୍ରର ମେଡିକାଲ କାଉନସିଲକୁ ସୁପାରିସ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଛି। ଉକ୍ତ ସୁପାରିସରେ ନିଖୋଜ ମେଡିକାଲ ଅଫିସରମାନଙ୍କ ପଞ୍ଜୀକରଣ ବାତିଲ କରିବା ପାଇଁ କୁହାଯିବ। ଏଥିସହିତ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଓ ମହାରାଷ୍ଟ୍ର ଲୋକ ସେବା ନିୟମ ଲାଗୁହେବ। ଏଥିସହିତ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏକ ସର୍ବସାଧାରଣ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଉକ୍ତ ବିଜ୍ଞପ୍ତିରେ ନିଖୋଜ ମେଡିକାଲ ଅଫିସରମାନଙ୍କୁ ସେମାନଙ୍କ ଉପ ନିର୍ଦ୍ଦେଶକଙ୍କ ନିକଟରେ ୧୫ ଦିନ ମଧ୍ୟରେ ରିପୋର୍ଟ କରିବାକୁ କୁହାଯାଇଛି। ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ମହାମାରୀ ରୋଗ ଆଇନ ଏବଂ ଅନ୍ୟ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ଆଇନ ଅଧୀନରେ ଯଦିଓ ସେମାନଙ୍କୁ ନୋଟିସ କରାଯାଇଛି ତଥାପି ସେମାନଙ୍କ ପଞ୍ଜୀକରଣ ରଦ୍ଦ କରିବା ପାଇଁ ବିଭାଗ ପକ୍ଷରୁ ମହାରାଷ୍ଟ୍ର ମେଡିକାଲ କାଉନସିଲକୁ କୁହାଯିବ ବୋଲି ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମହାମାରୀ କାରଣରୁ ରାଜ୍ୟ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଏହି ସମୟରେ ସରକାରଙ୍କ ମେଡିକାଲ ଅଫିସରମାନେ ଦୀର୍ଘଦିନ ହେଲା କାର୍ଯ୍ୟ ନକରି କୁଆଡ଼େ ପଳାଇଥିବା ଦେଖିବାକୁ ମିଳୁଛି। ଯଦି ନିଖୋଜ ଡାକ୍ତରମାନେ ୧୫ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ନଦିଅନ୍ତି ତାହେଲେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବା ପାଇଁ କହିବେ। ସେମାନେ ଯେଭଳି ଚିକିତ୍ସାରେ ଯୋଗଦେବେ ତାହାକୁ ନିଶ୍ଚିତ କରାଯିବ । ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁ‌ଷ୍ଠାନ ନିଆଯାଇ ଡିୟୁଟିକୁ ଅଣାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ମୋଟ ୯୫୦୦ ମଞ୍ଜୁରିପ୍ରାପ୍ତ ମେଡିକାଲ ଅଫିସର ପଦବି ରହିଛି। ଏଥିରୁ ୧୪୦୦ ପଦବି ଖାଲି ପଡ଼ିଥିବାବେଳେ ୬୦୦ ଡାକ୍ତର ନିଖୋଜ ଅଛନ୍ତି।