ଭାରତ ସୀମା ପାଖରେ ପୁଣି ୬୦,୦୦୦ ସୈନ୍ୟ ମୁତୟନ କଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଘଟିଥିବା ଘଟଣାକୁ ବର୍ଷେରୁ ଅଧିକ ସମୟ ହୋଇଯାଇଥିଲେ‌ ବି ଏବେ ମଧ୍ୟ ଭାରତ-ଚୀନ ମଧ୍ୟରେ ଶାନ୍ତି ଫେରିପାରି ନାହିଁ। ଦୁଇ ଦେଶ ମଧ୍ୟରେ ଅନେକ ଥର କମାଣ୍ଡରସ୍ତରୀୟ ବୈଠକ ହୋଇସାରିଥିଲେ ବି ଦୁଇ ଦେଶ ମଧ୍ୟରେ ସବୁ କିଛି ଠିକ ହୋଇପାରିନାହିଁ। କିଛି ସମୟ ପୂର୍ବରୁ ଦାବି ଜାହିର କରିବା ଲାଗି ଚୀନ୍‌ ଜାନୁଆରି ୧ ତାରିଖ ଦିନ ପୁନର୍ବାର ଗଲ୍‌ୱାନ୍‌ ଉପତ୍ୟକାରେ ତା’ର ଜାତୀୟ ପତାକା ଉତ୍ତୋଳନ କରିଥିବା ଖବର ମିଳିଥିଲା। ଏବେ ଚୀନ ଭାରତ ସୀମା ପାଖରେ ପ୍ରାୟ ୬୦,୦୦୦ ସୈନ୍ୟ ମୁତୟନ କରିଥିବା ଜଣାପଡ଼ିଛି।

ତେବେ ଚୀନ ସେନାର ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦେବା ପାଇଁ ଭାରତ ମଧ୍ୟ ସମାନ ସଂଖ୍ୟାରେ ସେନ୍ୟ ମୁତୟନ କରିଛି। ହାଡ଼ଭଙ୍ଗା ଶୀତ ସତ୍ତ୍ବେ ମଧ୍ୟ ଚୀନ ଏଭଳି କରିଛି। ଚୀନ୍ ସେନା ଲଦାଖ ବିପକ୍ଷ ଅଞ୍ଚଳରେ ଏହାର ସମସ୍ତ ଗ୍ରୀଷ୍ମ ତାଲିମ ନେଇଥିବା ସୈନ୍ୟ ପ୍ରତ୍ୟାହାର କରିନେଇଥିଲେ ବି ଏବେ ମଧ୍ୟ ୬୦,୦୦୦ ସୈନ୍ୟ ମୁତୟନ କରି ରଖିଛି । ଏଥିରୁ ଚୀନ ପଟୁ ଭାରତକୁ ବିପଦ ଥିବା ଆଶଙ୍କା କରି ଏବେ ଭାରତୀୟ ସେନା ସତର୍କ ହୋଇଛନ୍ତି।

ଅନ୍ୟପକ୍ଷରେ, ଚୀନ ପାଙ୍ଗୋଙ୍ଗ ସୋ’ ହ୍ରଦ ଉପରେ ଏକ ସେତୁ ନିର୍ମାଣ କରୁଥିବା ଜଣାପଡ଼ିଛି। ଏହା  ଦ୍ବାରା ଚୀନ ସୈନିକମାନେ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳକୁ ସହଜରେ ଯାଇପାରିବେ। ୧୪୦କିଲୋମିଟର ଲମ୍ବ ପାଙ୍ଗୋଙ୍ଗ ସୋ’ ହ୍ରଦର ପ୍ରାୟ ଦୁଇ ତୃତୀୟାଂଶ ଅର୍ଥାତ୍ ପ୍ରାୟ ୧୦୦କିଲୋମିଟର ଚୀନର ଅଂଶ। ଏଭଳି ପରିସ୍ଥିତିରେ ଚୀନ୍‌ର ସୈନିକମାନଙ୍କୁ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯିବା ପାଇଁ ଡଙ୍ଗାର ସାହାଯ୍ୟ ନେବାକୁ ପଡ଼େ। ଯଦି ଡଙ୍ଗାକୁ ବ୍ୟବହାର କରାନଯାଏ, ତେବେ ସେମାନଙ୍କୁ ୧୦୦ କିଲୋମିଟର ବୁଲି ବୁଲି ଆସିବାକୁ ପଡ଼େ। ଏହି ସେତୁ ନିର୍ମାଣ ହେବା ଦ୍ବାରା ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପହଞ୍ଚିବା ଅତି ସହଜ ହେବ।

ଏହା ପୂର୍ବରୁ ଚୀନ୍‌ ପତାକା ଉତ୍ତୋଳନ କାର୍ଯ୍ୟକ୍ରମର କେତେଗୁଡ଼ିଏ ଭିଡିଓ ଚୀନା ସରକାରଙ୍କ ବିଭିନ୍ନ ମୁଖପତ୍ରରେ ପ୍ରସାରଣ କରାଯାଇଥିଲା। ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ଟୁଇଟ୍‌ କରିଥିଲା ଯେ, ‘କଦାପି ଇଞ୍ଚେ ମାତ୍ର ଜାଗା ବି ଛାଡ଼ିବୁ’ ନାହିଁ ମନୋଭାବ ନେଇ ଭାରତ ସୀମାନ୍ତ ପାଖ ଗଲ୍‌ୱାନ୍‌ ଉପତ୍ୟକାରୁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନେ ୨୦୨୨ ଜାନୁଆରି ୧ ତାରିଖ ଦିନ ଚୀନ୍‌ବାସୀଙ୍କୁ ନବବର୍ଷ ଅଭିନନ୍ଦନ ପଠାଇଛନ୍ତି।

ଚୀନ୍‌ ସରକାରଙ୍କ ପୃଷ୍ଠପୋଷକତାରେ ପରିଚାଳିତ ଗଣମାଧ୍ୟମ ‘ଶେନ୍‌ ଶିୱେଇ’ ଟୁଇଟ୍‌ କରିଥିଲା ଯେ, ୨୦୨୨ ନବ ବର୍ଷ ଦିନ ଗଲ୍‌ୱାନ୍‌ ଉପତ୍ୟକାରେ ଚୀନ୍‌ର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ବେଜିଙ୍ଗ୍‌ର ସିଆନାନ୍‌ମେମ୍‌ ଛକରେ ଉଡ଼ିବା ପରଠାରୁ ଏ ଜାତୀୟ ପତାକାର ଖୁବ୍‌ ମହତ୍ତ୍ବ ରହିଛି।

ସମ୍ବନ୍ଧିତ ଖବର