ପଛରେ ଓଡ଼ିଶା: ରାଜ୍ୟର ୬,୦୯୯ ଗାଁରେ ନାହିଁ ମୋବାଇଲ୍ ସଂଯୋଗ

ନୂଆଦିଲ୍ଲୀ: ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏ ନେଇ ବିଭିନ୍ନ ଦଳ ଭୋଟ ହାତେଇବା ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। ଯାତାୟତ ସୁବିଧା ସହ ବିଜୁଳି ସଂଯୋଗ ଓ ପିଇବା ଯୋଗ୍ୟ ପାଣି ଯୋଗାଇଦେବା ନେଇ ଲୋକଙ୍କୁ ଅନେକ ସ୍ବପ୍ନ ଦେଖାଉଛନ୍ତି ରାଜନୈତିକ ଦଳ। ‌ଦେଶ ଏବେ ଡିଜିଟାଲ ଇଣ୍ଡିଆର ଆଡକୁ ମୁହାଁଉଥିବା ବେଳେ ଏବେ ବି ରାଜ୍ୟର ପ୍ରାୟ ୭୦୦୦ ଗାଁକୁ ମୋବାଇଲ ସଂଯୋଗ ପହଞ୍ଚିପାରି ନଥିବା ଜଣାପଡ଼ିଛି। ସଞ୍ଚାର ମନ୍ତ୍ରାଳୟ ସୂଚୀ ଜାରି କରି କେଉଁ ରାଜ୍ୟରେ କେତେ ଗାଁକୁ ମୋବାଇଲ ପହଞ୍ଚିପାରି ନାହିଁ, ତା’ର ସୂଚନା ଦିଆଯାଇଛି। ଏହି ସୂଚୀରେ ଓଡ଼ିଶା ଏକ ନମ୍ବରରେ ରହିଛି। ଦେଶର ପ୍ରାୟ ୨୫,୦୦୦ ଗାଁକୁ ଏଯାବତ୍ ମୋବାଇଲ୍ ସଂଯୋଗ ହୋଇପାରି ନ ଥିବା ବେଳେ ଓଡ଼ିଶାରେ ସର୍ବାଧିକ ୬୦୯୯ ଗାଁ ଏଥିରେ ସାମିଲ୍ ଅଛି।

ଦେଶର ମୋବାଇଲ୍ ପଛୁଆ ରାଜ୍ୟ ସୂଚୀରେ ଆଗରେ ରହିଛି ଓଡ଼ିଶା। ସଞ୍ଚାର ମନ୍ତ୍ରାଳୟ ଅନୁଯାୟୀ, ଡିଜିଟାଲ ଯୁଗରେ ଓଡ଼ିଶାର ୬,୦୯୯ ଗାଁକୁ ଏବେ ବି ମୋବାଇଲ ପହଞ୍ଚିପାରି ନାହିଁ। ଏଠାରେ ଲୋକେ ଏବେ ବି ମୋବାଇଲ ବ୍ୟବହାର କରି ପାରୁନାହାନ୍ତି। ଦେଶରେ ଏବେ ଡିଜିଟାଲ କ୍ରାନ୍ତି ଆସିବ ବୋଲି ସରକାର କହିବୁଲୁଥିବା ବେଳେ ଓଡ଼ିଶାର ଏଭଳି ଅବସ୍ଥା ଚିନ୍ତା କରିବା ଭଳି ନିଶ୍ଚୟ। ତେବେ ଓଡ଼ିଶା ଆଗରେ ଥିବା ବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଅନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ବିହାର ଇତ୍ୟାଦି ରାଜ୍ୟ।

ସମ୍ବନ୍ଧିତ ଖବର