୧ ଲକ୍ଷ ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୬୧ ହଜାର ନୂଆ ଆକ୍ରାନ୍ତ 

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ୯୦ ହଜାର ଉପରେ ରହୁଥିବାବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ  ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୬୧ ହଜାର  ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାରରେ ପହଞ୍ଚିଛି ।  ତେବେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୬,୮୫,୦୮୩ ରେ ପହଞ୍ଚିଛି । ଏହା ମଧ୍ୟରୁ ୯,୧୯,୦୨୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୩୫୬୯କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୬୬୨୪୯୦ ରେ ପହଞ୍ଚିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୬୧୨୬୭ ନୂଆ ମାମଲା ସାମନାକୁ ଆସିଛି ଓ ୮୮୪ ଜଣ ମୃତ୍ୟୁବରଣ କରିଛନ୍ତି ।

ଦେଶରେ ଗତ କାଲି ପ୍ରାୟ ୧୦,୮୯,୪୦୩ଟି କରୋନା ପରୀକ୍ଷା ହୋଇଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୮୧୦୭୧୭୯୭ଟି କରୋନା ନମୁନା ପରୀକ୍ଷା ହେଲାଣି ।

ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୪୫ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬.୭୯ ଲକ୍ଷ ଟପିଯାଇଛି, ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି ।

ସମ୍ବନ୍ଧିତ ଖବର