ନୂ୍ଆଦିଲ୍ଲୀ: ନିଲମ୍ବିତ ପୁଲିସ ଅଫିସର୍ ସଚିନ ଭାଜେ ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏନ୍ଆଇଏ ହାଜତରେ ରହିବେ। ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଭାଜେଙ୍କ ଏନ୍ଆଇଏ ହାଜତ ରହଣୀ ସମୟକୁ ଏପ୍ରିଲ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଭାଜେ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ମାମଲାରେ ତାଙ୍କୁ ବଳିର ବୋଦା କରାଯାଇଛି ବୋଲି କହିଛନ୍ତି। ଭାଜେ କହିଛନ୍ତି, ସେ ମାତ୍ର ଦେଢ଼ ଦିନ ପାଇଁ ଏହି ମାମଲାର ତଦନ୍ତ ଦାୟିତ୍ବରେ ଥିଲେ। ତାଙ୍କ କ୍ଷମତାରେ ଯାହା ଥିଲା ସେ କରିଛନ୍ତି। କିନ୍ତୁ ଅଚାନକ ଯୋଜନାରେ କିଛି ପରିବର୍ତ୍ତନ ହେଲା। ସେ ନିଜଆଡ଼ୁ ଏନ୍ଆଇଏ ଅଫିସ୍ ଯିବା ସମୟରେ ତାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ଏନ୍ଆଇଏର ଓକିଲ ତଥା ଅତିରିକ୍ତ ସଲିସିଟର ଜେନେରାଲ୍ ଅନିଲ ସିଂହ କହିଛନ୍ତି, ଅପରାଧରେ ଜଣେ ପୁଲିସ ସମ୍ପୃକ୍ତ ଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ତଦନ୍ତ ସମୟରେ ଭାଜେଙ୍କ ଘରୁ ୬୨ଟି ବୁଲେଟ୍ ଜବତ ହୋଇଛି। ତେବେ ଭାଜେଙ୍କ ଘରେ ଏତେ ସଂଖ୍ୟାରେ ବୁଲେଟ୍ କାହିଁକି ଥିଲା ସେନେଇ ତଦନ୍ତ ହୋଇଛି।
ଅନ୍ୟପକ୍ଷେ ଭାଜେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି ଏବଂ ଅମ୍ବାନିଙ୍କ ଘର ବାହାରେ ଗାଡ଼ିରେ ସେ ହିଁ ବିସ୍ଫୋରକ ରଖିଥିବା ସ୍ବୀକାର କରିଛନ୍ତି ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। କିନ୍ତୁ ଭାଜେ ଏହାକୁ ଖଣ୍ଡନ କରିଛନ୍ତି। ସେ ଅପରାଧ କରିନାହାନ୍ତି ବୋଲି କହିଛନ୍ତି। କୋର୍ଟ ଭାଜେଙ୍କୁ ଲିଖିତ ଆକାରରେ ନିଜ ବିବୃତି ରଖିବାପାଇଁ କହିଛନ୍ତି। ଗତକାଲି ଭାଜେଙ୍କ ବିରୋଧରେ ୟୁଏପିଏ ଲାଗୁ ହେବା ତାଙ୍କ ହାଜତ ରହଣୀ ମିଆଦ ୩ ପର୍ଯ୍ୟନ୍ତ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/56456f4h65s4f56hfshfshhhhhhhhhh.jpg)