ନୂଆଦିଲ୍ଲୀ: ଆପଣ ଦିଲ୍ଲୀରେ ରହୁଛନ୍ତି କି ? ଯଦି ରହୁଥାନ୍ତି ତାହାଲେ ଘରୁ ପୁରୁଣା ଗାଡ଼ି ଧରି ବାହାରିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ । କାରଣ ଏଣିକି ଦିଲ୍ଲୀରେ ପୁରୁଣା ଗାଡ଼ି ଉପରେ ରହିଛି ସରକାରଙ୍କ ନଜର । ବାଟରେ ପୁରୁଣା ଗାଡ଼ିକୁ ଜବତ କରିବାକୁ ଆଜିଠୁ ଆରମ୍ଭ ହୋଇଛି ଧରପଗଡ଼ । ଆଉ ପେଟ୍ରୋଲ ପମ୍ପରେ ପଇଁତରା ମାରୁଛନ୍ତି ପୋଲିସ । କାରଣ ଆଜିଠୁ ବି ଦିଲ୍ଲୀରେ ପୁରୁଣା ଗାଡ଼ିକୁ ପେଟ୍ରୋଲ-ଡିଜେଲ ମନା । ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଉ ଯଦି ଏହି ପୁରୁଣା ଗାଡ଼ି ଧରି ବାହାରକୁ ବାହାରୁଛନ୍ତି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ ସରକାର ନୂଆ ନିୟମ ଆଣିବା ପରେ ପାଖାପାଖି ୬୨ ଲକ୍ଷ ପୁରୁଣା ଗାଡ଼ି ଏହି ବର୍ଗରେ ଅନ୍ତର୍ଭୁକ୍ତ । ଯେଉଁ ଗାଡ଼ି ନା ରାସ୍ତାରେ ଗଡ଼ିପାରିବ ନା ପେଟ୍ରୋଲ ପମ୍ପରେ ଇନ୍ଧନ ପକାଇ ପାରିବ । ୬୨ ଲକ୍ଷ ଗାଡ଼ି ଭିତରୁ ୪୧ ଲକ୍ଷ ଦୁଇ ଚକିଆ ଥିବାବେଳେ ୧୮ ଲକ୍ଷ ଚାରି ଚକିଆ ଯାନ ରହିଛି । ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ରାସ୍ତାରୁ ଏହି ସବୁ ବିଷାକ୍ତ ଧୂଆଁ ଛାଡୁଥିବା ପୁରୁଣା ଗାଡ଼ିକୁ ହଠାଇବାକୁ ଆଜିଠାରୁ ପ୍ରୟାସ ଆରମ୍ଭ ହୋଇଛି ।
ସେପଟେ ଦିଲ୍ଲୀର ୩୫୦ ପେଟ୍ରୋଲ ପମ୍ପ ମଧ୍ଯରୁ ୧୦୦ଟି ସବୁଠୁ ଅଧିକ ଗହଳି ହେଉଥିବା ପେଟ୍ରୋଲ ପମ୍ପରେ ପୋଲିସର ଟିମ୍ ପଇଁତରା ମାରୁଛି ଏବଂ ୬୦ ପାଖାପାଖି ପେଟ୍ରୋଲ୍ ପମ୍ପରେ ପରିବହନ ବିଭାଗର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି । ଏହାସହ ସ୍ବତନ୍ତ୍ର କ୍ୟାମେରାରେ ମଧ୍ଯ ପୁରୁଣା ଗାଡ଼ି ନେଇ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।
ନୂଆ ନିୟମ କ’ଣ?
ପ୍ରଥମେ ଜାଣନ୍ତୁ ନୂତନ ନିୟମ କ’ଣ । ନିକଟରେ, ବାୟୁ ଗୁଣବତ୍ତା ପରିଚାଳନା କମିଶନ ସ୍ପଷ୍ଟ କରିଥିଲେ, ୧ ଜୁଲାଇ, ୨୦୨୫ ରୁ ଦିଲ୍ଲୀରେ ଯେଉଁ ପୁରୁଣା ଯାନଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୟସ ସୀମା ପୂରଣ କରିଛନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଯୋଗାଇ ଦିଆଯିବ ନାହିଁ । ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ବର୍ଗରେ ରଖାଯାଇଛି । ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ସିଷ୍ଟମ ରହିଛି, ଯାହା ସାହାଯ୍ୟରେ ଏପରି ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରାଯିବ ।
ଏହି ସିଷ୍ଟମ କିପରି କାମ କରିବ ?
ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ ସିଷ୍ଟମରେ ଉଚ୍ଚମାନର କ୍ୟାମେରା ବ୍ୟବହାର କରାଯାଇଛି । ଯାହା ପେଟ୍ରୋଲ ପମ୍ପକୁ ଆସୁଥିବା ସମସ୍ତ ଗାଡ଼ିର ନମ୍ବର ପ୍ଲେଟରୁ ସେମାନଙ୍କର ତଥ୍ୟ ହାସଲ କରିବ । ଯଦି ସେହି ଗାଡ଼ି ଏଣ୍ଡ-ଅଫ୍-ଲାଇଫ୍ ବର୍ଗରେ ଆସୁଥିବ, ତେବେ ପେଟ୍ରୋଲ ପମ୍ପରେ ହିଁ ଗାଡ଼ିକୁ ଜବତ କରାଯିବ ।
ସିଏନଜି ଯାନବାହନକୁ ଆଶ୍ୱସ୍ତି
ଆରମ୍ଭରୁ ସରକାର ନିଷ୍ପତ୍ତି ନେଇଥିଲେ, ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଚାଳିତ ପୁରୁଣା ଯାନଗୁଡ଼ିକୁ ନିଷିଦ୍ଧ କରାଯିବ, କିନ୍ତୁ ବର୍ତ୍ତମାନ ପାଇଁ, ୧୫ ବର୍ଷରୁ ପୁରୁଣା ସିଏନଜି ଯାନଗୁଡ଼ିକୁ ଆଶ୍ୱସ୍ତି ଦିଆଯାଇଛି ।