ଦେଶରେ ଦିନକୁ ୬୨ ପଦଚାରୀଙ୍କ ଜୀବନ ଯାଉଛି, ୪ ବର୍ଷରେ ୮୪% ବୃଦ୍ଧି

ନୂଆଦିଲ୍ଲୀ : ଭାରତୀୟ ସହର ଗୁଡ଼ିକରେ ରାସ୍ତା କଡ଼ରେ ଚାଲୁଥିବା ପଦଚାରୀମାନେ ସବୁବେଳେ ଅସୁରକ୍ଷିତ। ନିକଟ ଅତୀତରେ ପଦଚାରୀଙ୍କ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି। କେନ୍ଦ୍ର ପରିବହନ ମନ୍ତ୍ରାଳୟର ସଡ଼କ ଦୁର୍ଘଟଣା ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ଦିନକୁ ପ୍ରାୟ ୬୨ ପଦଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ରିପୋର୍ଟ ଅନୁଯାୟୀ ୨୦୧୪ରେ ଭାରତରେ ଦିନକୁ ୩୪ ଜଣ ପଦଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ଏହା ୬୨କୁ ବୃଦ୍ଧି ପାଇଛି। ୨୦୧୪ରୁ ୨୦୧୮ ମଧ୍ୟରେ ପଦଚାରୀଙ୍କ ମୃତ୍ୟୁସଂଖ୍ୟା ୮୪ ପ୍ରତିଶତ ବୃଦ୍ଧି ପାଇଛି।

୨୦୧୪ରେ ଦେଶବ୍ୟାପୀ ୧୨,୩୩୦ ପଦଚାରୀଙ୍କ ମୃତ୍ୟୁ ହୋଇଥିଲା। ୨୦୧୫ରେ ପଦଚାରୀଙ୍କ ମୃତ୍ୟୁସଂଖ୍ୟା ୧୩,୮୯୪କୁ ବୃଦ୍ଧି ପାଇଥିଲା। ୨୦୧୬ରେ ଏହି ସଂଖ୍ୟା ୧୫,୭୪୬, ୨୦୧୭ରେ ୨୦,୪୫୭ ଏବଂ ଗତବର୍ଷ ଏହା ୨୨.୬୫୬କୁ ବୃଦ୍ଧି ପାଇଥିଲା। ସଡ଼କ ସୁରକ୍ଷା ବିଶେଷଜ୍ଞମାନେ କହୁଛନ୍ତି, ରାସ୍ତା ଉପରେ ପଦଚାରୀମାନଙ୍କ ଅଧିକାରକୁ ଅଗ୍ରାଧିକାର ଦିଆଯାଉନି କି ରାସ୍ତା ନିର୍ମାଣ ଏବଂ ଟ୍ରାଫିକ୍‌ ଯୋଜନା ସମୟରେ ଏଥିପ୍ରତି ବିଶେଷ ଗୁରୁତ୍ବ ମଧ୍ୟ ଦିଆଯାଉନି। ସେଥିପାଇଁ ସଡ଼କ ଦୁର୍ଘଟଣାରେ ଅଧିକାଂଶ ପଦଚାରୀ ପ୍ରାଣ ହରାଉଛନ୍ତି। କେନ୍ଦ୍ର ପରିବହନ ମନ୍ତ୍ରାଳୟର ସଡ଼କ ଦୁର୍ଘଟଣା ରିପୋର୍ଟ ୨୦୧୮ରୁ ଜଣାପଡ଼ିଛି ଯେ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ପଦଚାରୀଙ୍କ ମୃତ୍ୟୁ ହେଉଛି। ପଶ୍ଚିମବଙ୍ଗରେ ୨୦୧୮ରେ ୨,୬୧୮ ପଦଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ମହାରାଷ୍ଟ୍ରରେ ୨,୫୧୫, ଆନ୍ଧ୍ରପ୍ରଦେଶରେ ୧,୫୬୯ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରିପୋର୍ଟ ଅନୁଯାୟୀ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ପଦଚାରୀ, ସାଇକେଲ ଏବଂ ଦୁଇ ଚକିଆ ଗାଡ଼ି ଚାଳକଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ ‌ହେବ। ଉଲ୍ଲେଖଯୋଗ୍ୟ ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ପଦଚାରୀଙ୍କ ସୁରକ୍ଷା ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଭାରତରେ ପଦଚାରୀଙ୍କ ସୁରକ୍ଷା ଦିଗରେ ସେତେଟା ଗୁରୁତ୍ବ ଦିଆଯାଉ ନଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର