କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା, ଚଳିତ ବର୍ଷ ଏପର୍ଯ୍ୟନ୍ତ ମଲେଣି ୬୨ ଆତଙ୍କବାଦୀ

ଶ୍ରୀନଗର : ଚଳିତ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ନିପାତ କ୍ଷେତ୍ରରେ ସୁରକ୍ଷା ବାହିନୀକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏପର୍ଯ୍ୟନ୍ତ ମୋଟ ୬୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ନିପାତ କରିଛି, ସେମାନଙ୍କ ମଧ୍ୟରୁ ୪୭ ଜଣ ସ୍ଥାନୀୟ ଆତଙ୍କବାଦୀ ଓ ୧୫ ଜଣ ବିଦେଶୀ ନାଗରିକ ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଜମ୍ମୁ ଓ କଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ ମରିଥିବା ୬୨ ଆତଙ୍କବାଦୀଙ୍କ ମଧ୍ୟରୁ ୩୯ ଜଣ ଲସ୍କର-ଏ-ତୋଇବାର ସଦସ୍ୟ ହୋଇଥିବାବେଳେ, ୧୫ ଜଣ ଜୈସ-ଇ-ମହମ୍ମଦ, ୬ ଜଣ ହିଜବୁଲ ମୁଜାହିଦ୍ଦିନ ଓ ୨ ଜଣ ଅଲ-ବଦର ସଦସ୍ୟ ।

ସେ କହିଛନ୍ତି ଯେ କଶ୍ମୀରରେ ଗୁଇନ୍ଦା ସୂଚନା, ସୁରକ୍ଷା ବାହିନୀର ସତର୍କତା ଯୋଗୁଁ ଆତଙ୍କବାଦୀମାନଙ୍କ ନିପାତ ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ମରିଥିବା ୬୨ ଆତଙ୍କବାଦୀଙ୍କ ମଧ୍ୟରୁ ୩୨ ଜଣ ଆତଙ୍କବାଦୀ ସଂଗଠନରେ ଯୋଗ ଦେବାର ମାତ୍ର ୩ ମାସ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ।

ଗତ କାଲି ( ବୁଧବାର) ପୁଲଓ୍ବାମାର ମିଟଗ୍ରାମ ଅଞ୍ଚଳରେ ସୁରକ୍ଷାବାହିନୀ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲମାସରେ ଦୁଇଜଣ ଅଣ-କଶ୍ମୀରି ଶ୍ରମିକଙ୍କ ହତ୍ୟା ପଛରେ ଏହି ଦୁଇ ଆତଙ୍କବାଦୀଙ୍କ ହାତ ଥିବା ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ।

ସମ୍ବନ୍ଧିତ ଖବର