ଚୀନ୍‌କୁ ବିକ୍ରି ହୋଇଛନ୍ତି ୬୨୯ ପାକିସ୍ତାନୀ ମହିଳା

ପ୍ରଥମେ ବିବାହ, ପରେ ଅତ୍ୟାଚାର

ଲାହୋର : ପାକିସ୍ତାନରେ ଗରିବ ପରିବାରର ଯୁବତୀମାନଙ୍କୁ ବିବାହ ଏବଂ ଅର୍ଥ ଲୋଭ ଦେଖାଇ ଦଲାଲମାନେ ଚୀନ୍‌ ଚାଲାଣ କରୁଛନ୍ତି। ସେମାନଙ୍କୁ ବିବାହ ପାଇଁ ଚୀନ୍‌କୁ କନ୍ୟା ଭାବେ ବିକ୍ରି କରାଯାଉଥିବା ସଂପର୍କରେ ଚାଂଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଆସୋସିଏଟ୍‌ ପ୍ରେସ୍‌କୁ ହାସଲ ହୋଇଥିବା ତଥ୍ୟ ଅନୁଯାୟୀ ପାକିସ୍ତାନରୁ ୬୨୯ ମହିଳା ଚୀନ୍‌କୁ କନ୍ୟା ଭାବେ ବିକ୍ରି ହୋଇଛନ୍ତି ଏବଂ ସେମାନେ ଚୀନ୍‌ ପହଞ୍ଚି ସାରିଛନ୍ତି। ସେମାନଙ୍କ ମଧ୍ୟରେ କିଛି ନାବାଳିକା ମଧ୍ୟ ଅଛନ୍ତି। ୨୦୧୮ ଏବଂ ୨୦୧୯ ଏପ୍ରିଲ ମଧ୍ୟରେ ଏହି ଯୁବତୀମାନଙ୍କୁ ଚାଲାଣ କରାଯାଇଥିଲା। ଏହି ୬୨୯ ଯୁବତୀଙ୍କ ନାମ , ସେମାନଙ୍କ ଚୀନ୍‌ ସ୍ବାମୀଙ୍କ ନାମ ଏବଂ ବିବାହ ତାରିଖ ମଧ୍ୟ ହସ୍ତଗତ ହେଇଛି। ଚୀନ୍‌ ଏବଂ ପାକିସ୍ତାନୀ ଦଲାଲଙ୍କ ଦ୍ବାରା ମିଳିତ ଭାବେ ଏହି ଚାଲାଣ କାର୍ଯ୍ୟ କରାଯାଇଛି। ଗରିବ ପରିବାରର ମୁରବୀମାନଙ୍କୁ ଅର୍ଥ ଲୋଭ ଦେଖାଇ ଦଲାଲମାନେ ସେମାନଙ୍କ କାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ବିବାହ ପାଇଁ ଚୀନ୍‌ର ବରପକ୍ଷଙ୍କଠାରୁ ୨୫,୦୦୦ରୁ ୬୫,୦୦୦ ଡଲାର ନିଆଯାଉଥିବା ବେଳେ ସେମାନେ ପାକିସ୍ତାନୀ ମହିଳାଙ୍କ ପରିବାର ସଦସ୍ୟଙ୍କୁ ମାତ୍ର ୧୫୦୦ ଡଲାର ଦେଉଛନ୍ତି। ପାକିସ୍ତାନରେ ମାନବ ଚାଲାଣ ଉପରେ ଅଧ୍ୟୟନ ଜାରି ରଖିଥିବା ଜଣେ ଅଧିକାରୀ କହିଛନ୍ତି ଯେ ଚୀନ୍‌କୁ ବିକ୍ରି ହେବାପରେ ଏହି ମହିଳାମାନଙ୍କୁ ବାଧ୍ୟତାମୂଳକ ଭାବେ ବେଶ୍ୟାବୃତ୍ତିରେ ସାମିଲ କରାଯାଉଥିବା ପ୍ରମାଣ ମିଳିଛି।

ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୬୨୯ ମହିଳାଙ୍କୁ ଚାଲାଣ କରାଯିବା ସମ୍ପର୍କରେ ମନ୍ତ୍ରାଳୟ ଅବଗତ ନାହିଁ। ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନରେ ଖ୍ରିଷ୍ଟିଆନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରାଯାଉଛି। ମୁସଲିମ ବହୁଳ ପାକିସ୍ତାନରେ ଖ୍ରିଷ୍ଟିଆନ୍‌ ସଂଖ୍ୟାଲଘୁ ସବୁଠାରୁ ଗରିବ ହୋଇଥିବାରୁ ସେମାନଙ୍କୁ ନିଶାଣ କରି ଦଲାଲମାନେ ଏଭଳି ଚାଲାଣ କରିବାକୁ ସକ୍ଷମ ହେଉଛନ୍ତି। ଗରିବ ବାପକୁ ଅର୍ଥ ଲୋଭ ଦେଖାଇବା ସହ ଝିଅର ଉତ୍ତମ ଭବିଷ୍ୟତର ପ୍ରଲୋଭନ ଦେଖାଇ ଅତି ସହଜରେ ନିଜ ଜାଲରେ ଫସାଉଛନ୍ତି ମଧ୍ୟସ୍ଥି। ସୂଚନାନୁଯାୟୀ ଗତ ସେପ୍ଟେମ୍ବରରେ ପାକିସ୍ତାନର ତଦନ୍ତକାରୀ ସଂସ୍ତା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନକଲି ଚୀନ୍‌ ବିବାହ ମାମଲା ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟର ଏକ କପି ଏବେ ଆସୋସିଏଟ୍‌ ପ୍ରେସ୍‌କୁ ମିଳିଛି । ଏହି ମାମଲାରେ ୫୨ ଚୀନ୍‌ ନାଗରିକ ଏବଂ ସେମାନଙ୍କ ୨୦ ପାକିସ୍ତାନୀ ସହଯୋଗୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କୁ କୋର୍ଟ ଦୋଷମୁକ୍ତ କରି ସାରିଥିବା ଜଣାପଡ଼ିଛି । ପୁଲିସ ଲା‌ହୋରରେ ଦୁଇଟି ବେଆଇନ ବିବାହ ବ୍ୟୁରୋ ଉପରେ ଚଢ଼ଉ କରି ସେମାନଙ୍କ କଳା କାରନାମା ପଦାକୁ ଆଣିଛି। ଏଥିମଧ୍ୟରୁ ଗୋଟିଏ ବ୍ୟୁ‌ରୋକୁ ଏକ ମଦ୍ରାସାରୁ ପରିଚାଳନା କରାଯାଉଥିବା ଜଣାପଡ଼ିଛି। ଚୀନ୍‌ର ଋଣ ଜାଲରେ ଫସିଥିବା ପାକିସ୍ତାନ ମାନବ ଅଧିକାର ଉଲ୍ଲଂଘନ ପ୍ରତି ଦୃଷ୍ଟି ଦେଉନଥିବାରୁ ଯୁବତୀ ଚାଲାଣକାରୀ କାୟାବିସ୍ତାର କରିଚାଲିଛନ୍ତି।

ସମ୍ବନ୍ଧିତ ଖବର