ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗୁଜୁରାଟରେ ଏଯାଏଁ ଗଲାଣି ୬୩ ଜଣଙ୍କ ଜୀବନ

ଅହମ୍ମଦାବାଦ: ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଗୁଜୁରାଟରେ ବ୍ୟାପକ କ୍ଷତି ହୋଇଛି | ଗୁଜୁରାଟରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଥିପାଇଁ ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ହେଲିକପ୍ଟର ମୁତୟନ ହୋଇଛି। ଗୁଜୁରାଟର ନାଭସାରୀ, ଡାଙ୍ଗ, ଅହମ୍ମଦାବାଦ, ତାପି, ନର୍ମଦା ଭଳି ଜିଲ୍ଲାରେ ବନ୍ୟା ପରିସ୍ଥିତି ଅନିୟନ୍ତ୍ରିତ ରହିଛି । ବନ୍ୟା ଯୋଗୁଁ ନାଭସାରୀକୁ ସୁରଟ ସହିତ ସଂଯୋଗ କରୁଥିବା ରାଜ୍ୟ ରାଜପଥ ବନ୍ଦ ରହିଛି। ସେହିପରି ଗୋଟିଏ ଦିନରେ ଗୁଜରାଟରେ ବନ୍ୟା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୌସୁମୀ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ସମୁଦାୟ ୬୩ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି, “ଗତ ଗୋଟିଏ ଦିନରେ ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜୁନ୍ ୧ ରୁ ବଜ୍ରପାତ, କାନ୍ଥ ଭୁଶୁଡ଼ିବା କିମ୍ବା ପାଣିରେ ବୁଡ଼ିଯିବା ଭଳି ଘଟଣା ଯୋଗୁଁ ୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୯,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୋମବାର ଦିନ ଭଳି ଆଜି ବି ସ୍କୁଲ ଏବଂ କଲେଜଗୁଡ଼ିକ ବନ୍ଦ ରହିଛି। ଦକ୍ଷିଣ ଗୁଜରାଟର ଡାଙ୍ଗ, ନାଭସାରି, ତାପି, ଭାଲସାଦ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ଏବଂ ପରିସ୍ଥିତି ବିଗିଡିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର