ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତେବେ ଏଭଳି ନିଲମ୍ବନ ଘଟଣା, ସଂସଦ ଇତିହାସରେ ନୂଆ ନୁହେଁ। ୧୯୮୯ରେ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ଗୋଟିଏ ଦିନରେ ଏକକାଳୀନ ୬୩ ଜଣ ସାଂସଦ ନିଲମ୍ବିତ ହୋଇଥିଲେ।
ଗତ ସପ୍ତାହରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି କେତେକ ଦୁର୍ବୃତ୍ତ ସଂସଦ ମଧ୍ୟରେ ପଶିଥିଲେ। ଏହାକୁ ନେଇ ବିରୋଧୀ ଦଳ ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଜାରି ରଖିଛନ୍ତି। ସୋମବାର ଉଭୟ ଗୃହର ମୋଟ ୭୮ ଜଣ ସଦସ୍ୟଙ୍କୁ ବିଶୃଙ୍ଖଳା କାରଣରୁ ନିଲମ୍ବନ କରାଯାଇଛି। ଏଥିରେ ଲୋକସଭାର ୩୩ ଜଣ ଏବଂ ରାଜ୍ୟସଭାର ୪୫ ଜଣ ସଦସ୍ୟ ଅଛନ୍ତି। କେବଳ ଏତିକି ନୁହେଁ ଗତ ସପ୍ତାହରେ ମଧ୍ୟ ୧୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।
ଏହାକୁ ମିଶାଇ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି। ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବନ ଘଟଣା ଏହା ପ୍ରଥମ ନୁହେଁ, ପୂର୍ବରୁ ୧୯୮୯ ମସିହାରେ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ୧୯୮୪ ନିର୍ବାଚନରେ ରାଜୀବ ଗାନ୍ଧିଙ୍କ ସରକାର ଅମଳରେ ୪୦୦ରୁ ଅଧିକ କଂଗ୍ରେସ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୫ ମାର୍ଚ୍ଚ ୧୯୮୯ର ବଜେଟ୍ ଅଧିବେଶନ ସମୟ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଘଟଣାର ଯାଞ୍ଚ କରୁଥିବା ଠକ୍କର କମିସନଙ୍କ ରିପୋର୍ଟ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ରିପୋର୍ଟକୁ ନେଇ ବିରୋଧୀ ଦଳର ସାଂସଦମାନେ ଗୃହରେ ତମ୍ବିତୋଫାନ କରିଥିଲେ। ଫଳରେ ବାଚସ୍ପତି ୬୩ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ। ଅବଶ୍ୟ ଏହାର ଦିନକ ପରେ ନିଲମ୍ବିତ ସାଂସଦମାନେ ବାଚସ୍ପତିଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବାରୁ ସେମାନଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା।