ଆତଙ୍କର ମାସ ନଭେମ୍ବର, ୯ ଶୀର୍ଷ କମାଣ୍ଡର ସମେତ ୩୭ ନିହତ

୨ ମାସରେ ୬୩ ଟଳିଲେଣି

ଶ୍ରୀନଗର : ଚଳିତ ନଭେମ୍ବର ମାସ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଆତଙ୍କର ମାସ ହୋଇଛି। ଚଳିତ ମାସ ସୁରକ୍ଷା ବାହିନୀ ଗୁଳିରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିମଧ୍ୟରେ ଏଲ୍‌ଇଟି ଏବଂ ହିଜବୁଲ୍‌ର ୯ ଜଣ ଶୀର୍ଷ କମାଣ୍ଡର ଅଛନ୍ତି। ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି। ୨୬/୧୧ ଆକ୍ରମଣ ଆତଙ୍କବାଦୀ ଅଜମଲ କସାବ୍‌ ସହ ତାଲିମ ନେଉଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନବିଡ଼ ଜାଟ୍‌ ମଧ୍ୟ ନିହତ ହୋଇଛି। ନିହତ ହୋଇଥିବା ୯ ଶୀର୍ଷ କମାଣ୍ଡରଙ୍କ ମଧ୍ୟରେ ୫ ଜଣ ହିଜବୁଲ୍‌ର ହୋଇଥିବାବେଳେ ୪ ଜଣ ଲସ୍କର ଏ ତୋଏବାର। ଏମାନେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇଛନ୍ତି ଏବଂ କଶ୍ମୀରରୁ ଅନେକ ଯୁବପିଢ଼ିଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ନିଯୁକ୍ତି ଦେଇଛନ୍ତି। ତେବେ ଗତ ଦୁଇ ମାସ ମଧ୍ୟରେ ସମୁଦାୟ ୬୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଅକ୍ଟୋବର ମାସରେ ୨୬ ଆତଙ୍କବାଦୀ ନିହତ ‌ହୋଇଥିବାବେଳେ ନଭେମ୍ବର ମାସରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତବର୍ଷ ଏହି ଅକ୍ଟୋବର-ନଭେମ୍ବର ମାସରେ ୪୪ ଆତଙ୍କବାଦୀ ନିହତ ହୋଇଥିଲେ। କେବଳ ଦକ୍ଷିଣ କଶ୍ମୀରରେ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଲସ୍କର ଏବଂ ଏଲଇଟି ସବୁଠୁ ଅଧିକ କ୍ଷତି ସହିଛି। ଏମାନେ ବହୁ ଶୀର୍ଷ କମାଣ୍ଡର ସମେତ ସକ୍ରିୟ ସଦସ୍ୟମାନଙ୍କୁ ହରାଇଛନ୍ତି।

ସୁଚନାଯୋଗ୍ୟ ଚଳିତ ବର୍ଷ କଶ୍ମୀରର ବିଭିନ୍ନ ସ୍ଥାନରେ ସମୁଦାୟ ୨୨୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଗତବର୍ଷ ୨୦୭ ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ବର୍ଷ ଜେଇଏମ୍‌, ଲସ୍କର, ହିଜବୁଲ୍‌ ମୁଜାହିଦ୍ଦିନ୍‌, ହରକତ ଉଲ ମୁଜାହିଦ୍ଦିନ୍‌ର ୧୫ରୁ ଊର୍ଦ୍ଧ୍ବ ଶୀର୍ଷ କମାଣ୍ଡର ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି । ଏହା ମଧ୍ୟ ଜଣାପଡ଼ିଛି ଯେ କଶ୍ମୀରରେ ଏବେ କେବଳ ୩-୪ ଜଣ ପ୍ରମୁଖ ଶୀର୍ଷ କମାଣ୍ଡରମାନେ ସକ୍ରିୟ ଅଛନ୍ତି। ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଅପରେସନାଲ କମାଣ୍ଡର ରିୟାଜ୍‌ ନାଇକୋ, ଅଲ୍‌ ବଦର କମାଣ୍ଡର ଜିନତ ଉଲ୍‌ ଇସଲାମ୍‌, ବୁରହାନ୍‌ ଏବଂ ଜାକିର ମୁସାର ଘନିଷ୍ଠ ସହଯୋଗୀ ଲତିଫ୍‌ ଟାଇଗର ଏବେ ଜମ୍ମୁ କଶ୍ମୀରରେ ସକ୍ରିୟ ଅଛନ୍ତି। ଲଗାତାର ଶୀର୍ଷ କମାଣ୍ଡରମାନେ ନିହତ ହେବା ଘଟଣାଦ୍ବାରା ଏହି ୩/୪ ଜଣ କମାଣ୍ଡର ପ୍ରବଳ ଚାପଗ୍ରସ୍ତ ଅଛନ୍ତି। ଚଳିତ ବର୍ଷ ନିୟନ୍ତ୍ରଣ ରେଖା ନିକଟରେ ୪୫ ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣାଯାଇଛି ‌ଯେ ଏଲଇଟିରେ ଆତଙ୍କବାଦୀଙ୍କ ସଂଖ୍ୟା ଚଳିତ ବର୍ଷ କମିଛି। ଅନେକ ସଫଳ କାର୍ଯ୍ୟାନୁଷ୍ଠାନ ଦ୍ବାରା ନିର୍ଦ୍ଦିଷ୍ଟ ଭାବେ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା କମିଛି ବୋଲି ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ୍‌ ସିଂହ କହିଛନ୍ତି।

ପୁଲ୍‌ୱାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି। ଆଜି ପୁଲ୍‌ୱାମା ଜିଲ୍ଲାରେ ପୁଣିଥରେ ସୁରକ୍ଷାବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ୨ ଆତଙ୍କବାଦୀ ହିଜବୁଲ୍‌ ଗୋଷ୍ଠୀର। ସେମାନେ ହିଜବୁଲ୍‌ କମାଣ୍ଡର ରିୟାଜ ନାଇକୋର ଘନିଷ୍ଠ ସହଯୋଗୀ ଥିଲେ। ପୁଲ୍‌ୱାମା ଜିଲ୍ଲାର ଅବନ୍ତିପୁରା ଅଞ୍ଚଳ ନିକଟସ୍ଥ ଶାରଶଲିରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ୍‌ ସମୟରେ ସୁରକ୍ଷାକର୍ମୀମାନେ ପ୍ରଥମେ ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ। ପାଲଟା ଜବାବ ଦେଇ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ଗୁଳିଚାଳନା‌ ଫଳ‌ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କୁ ଅଦନାନ୍‌ ଅହମଦ ଲୋନ୍‌ ଓରଫ ଉକାବ୍‌ ଏବଂ ଅଦିଲ ବିଲାଲ୍‌ ଭଟ୍‌ ବୋଲି ଚିହ୍ନଟ କରାଯାଇଛି। ପୁଲିସ ରେକର୍ଡ ଅନୁଯାୟୀ‌ ଲୋନ୍‌ ପୁଲ୍‌ୱାମାର ଆତ୍ମଘୋଷିତ ଜିଲ୍ଲା କମାଣ୍ଡର। ୨୦୧୫ ମସିହାଠାରୁ ସେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇଛି।

ସମ୍ବନ୍ଧିତ ଖବର