ବାଜିରେ ଲାଗିଥିଲା ୬୩୦୦ କୋଟି:ବୋମାର ମୂଲ୍ୟ ୧ କୋଟି ୭୦ ଲକ୍ଷ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ(ଜେଇଏମ୍‌)ର ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରି ସଫଳତା ହାସଲ କରିଛି। ନିୟନ୍ତ୍ରଣ ରେଖା ନିକଟରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ବଂସ କରିବା ପାଇଁ ଭାରତୀୟ ବାୟୁସେନା ଯେଉଁ ଅଭିଯାନ କରି ସଫଳ ହୋଇଛି ସେଥିପାଇଁ ୬୩୦୦ କୋଟି ଟଙ୍କାର ବିମାନ, ଯୁଦ୍ଧାସ୍ତ୍ର ଆଦି ବାଜିରେ ଲାଗିଥିଲା। ତେବେ ୩ଟି ଆତଙ୍କବାଦୀ ଶିବିର ଉପରେ ଯେଉଁ ବୋମା ନିକ୍ଷେପ କରାଯାଇଛି ତାହାର ମୂଲ୍ୟ ମାତ୍ର ୧ କୋଟି ୭୦ ଲକ୍ଷ ଟଙ୍କା ରହିଛି। ବାଲାକୋଟା ଅଞ୍ଚଳରେ ଜେଇଏମ୍‌ର ଥିବା ବଡ଼ ଆତଙ୍କବାଦୀ ଶିବିର ସମେତ ମୁଜାଫରବାଦ ଓ ଚାକୋଠି ଠାରେ ଥିବା ଶିବିର ଉପରେ ବାୟୁସେନା ଲେଜର ଗାଇଡେଡ୍ ବୋମା ନିକ୍ଷେପ କରିଥିଲା। ଲେଜର ଗାଇଡେଡ୍ ବୋମା ଗୁଡ଼ିକ ଲେଜର ଆଲୋକ ପଡ଼ୁଥିବା ଅଞ୍ଚଳରେ ନିକ୍ଷେପ ହୋଇଥାଏ। ଫଳରେ ଲକ୍ଷ୍ୟଚ୍ୟୁତ ହେବାର ସମ୍ଭାବନା କମ୍ ରହିଥାଏ।
ତେବେ ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ବଂସ କରିବା ପାଇଁ ପାକିସ୍ତାନର ଆକାଶ ସୀମା ଭିତରକୁ ଭାରତୀୟ ବାୟୁସେନାର ଯେତିକି ବିମାନ ଆକ୍ରମଣ ନିମନ୍ତେ ପ୍ରବେଶ କରିଥିଲା ତାହାର ମୂଲ୍ୟ ହେଉଛି ପ୍ରାୟ ୨୫୬୮ କୋଟି ଟଙ୍କା। ତେଣୁ ‌ଯଦି କୌଣସି ପରିସ୍ଥିତିରେ ପାକିସ୍ତାନ ପ୍ରତି ଆକ୍ରମଣ କରି ଭାରତର ବାୟୁସେନାର ବିମାନଗୁଡ଼ିକୁ ଉଡ଼ାଇ ଦେଇଥାନ୍ତା ତାହେଲେ ଭାରତ ଏସବୁ ସମ୍ପତ୍ତିକୁ ହରାଇବାକୁ ପଡ଼ିଥାନ୍ତା। ଭାରତ ପକ୍ଷରୁ ପ୍ରାୟ ୧୦୦୦ କିଲୋଗ୍ରାମ ବୋମା ନି‌କ୍ଷେପ କରାଯାଇଛି। ବଡ଼ ଆତଙ୍କବାଦୀ ଶିବିର ବାଲାକୋଟା ସମତେ ମୁଜାଫରବାଦ ଓ ଚାକୋଠିଠାରେ ଭାରତୀୟ ବିମାନ ବୋମା ପକାଇଛି।
ଭାରତ ପକ୍ଷରୁ ଶତ୍ରୁପକ୍ଷର ବିମାନ ଉପରେ ନଜର ରଖିବା ପାଇଁ ୧୭୫୦ କୋଟି ଟଙ୍କା ମୂଲ୍ୟର ଏକ ଆୱାକସ୍ (ଏୟାରବର୍ନ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ) ବିମାନକୁ ନିୟୋଜିତ କରାଯାଇଥିଲା। ମଧ୍ୟ ଆକାଶରେ ବିମାନରେ ଇନ୍ଧନ ଭର୍ତ୍ତି କରିବା ଲାଗି ଏକ ଇଲୁସିନ୍ ମିଡ୍‌ ଏୟାର ରିଫିଲିଂ ଟ୍ୟାଙ୍କର ସମେତ ଏକ ହେରୋନ୍ ସର୍ଭେଇଲାନ୍ସ ଡ୍ରୋନ ମଧ୍ୟ ଏହି ମିସନରେ ଭାଗ ନେଇଥିଲେ। ରିଫିଲିଂ ଟ୍ୟାଙ୍କରର ମୂଲ୍ୟ ୨୨ କୋଟି ଟଙ୍କା ହୋଇଥିବାବେଳେ ସର୍ଭେଇଲାନ୍ସ ଡ୍ରୋନର ମୂଲ୍ୟ ୮୦ କୋଟି ଟଙ୍କା ରହିଥିଲା। ଭାରତରେ ସମ୍ଭାବ୍ୟ ଆକ୍ରମଣର ପ୍ରତିହତ କରିବା ପାଇଁ ୩ଟି ରୁଷିଆ ନିର୍ମିତ ସୁଖୋଇ ସୁ-୩୦ଏମକେଆଇ ଏୟାର ସୁପରିୟରିଟି ଏୟାରକ୍ରାଫ୍ଟ ସମେତ ୫ଟି ମିଗ୍ ୨୯ ବିମାନ ପ୍ରସ୍ତୁତ କରି ରଖାଯାଇଥିଲା। ପ୍ରତ୍ୟେକ ସୁଖୋଇ ବିମାନର ମୂଲ୍ୟ ୩୫୮ କୋଟି ଟଙ୍କା ହୋଇଥିବାବେଳେ ଗୋଟିଏ ମିଗ୍ ୨୯ ବିମାନର ମୂଲ୍ୟ ୧୫୪ କୋଟି ଟଙ୍କା ରହିଥିଲା। ଏତଦବ୍ୟତୀତ ପାକିସ୍ତାନ ପାଲଟା ଆକ୍ରମଣ କରିଥିଲେ ଏହାର ଜବାବ ଦେବା ପାଇଁ ୩୬୮୬ କୋଟି ଟଙ୍କାର ସାମରିକ ସମ୍ପତ୍ତିକୁ କାର୍ଯ୍ୟରେ ତୁରନ୍ତ ବିନିଯୋଗ କରିବା ପାଇଁ ଭାରତ ସୀମାରେ ପ୍ରସ୍ତୁତ କରି ରଖାଯାଇଥିଲା।
ଆତଙ୍କବାଦୀ ଶିବିର ଗୁଡ଼ିକ ଉପରେ ସିଧାସଳଖ ବୋମା ପକାଇବା ପାଇଁ ଅତିକମରେ ୧୨ଟି ମିରେଜ୍ ୨୦୦୦ ବିମାନ କାର୍ଯ୍ୟରେ ନିୟୋଜିତ ଥିଲା। ପ୍ରତ୍ୟେକ ମିରାଜ୍‌ ୨୦୦୦ ବିମାନର ମୂଲ୍ୟ ହେଉଛି ୨୧୪ କୋଟି। ଗୋଆଲିୟରସ୍ଥିତ ଭାରତୀୟ ବାୟୁସେନା ଘାଟିରୁ ଏହି ବିମାନ ଗୁଡ଼ିକ ବୋମା ବହନ କରି ପାକିସ୍ତାନ ଅଭିମୁଖେ ଯାଇଥିଲା। ଗୋଟିଏ ବିମାନରେ ୨୨୫ କିଗ୍ରାର ବୋମା ନିଆଯାଇଥିଲା। ଏହି ଲେଜର ଗାଇଡେଡ ବୋମାକୁ ଆମେରିକା ପ୍ରଥମେ ୧୯୭୬ ମସିହାରେ ପ୍ରସ୍ତୁତ କରିଥିଲା। ମିରେଜ୍ ୨୦୦୦ ବିମାନରେ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ କ୍ଷେପଣାସ୍ତ୍ର ମଧ୍ୟ ରଖାଯାଇଥିଲା।

ସମ୍ବନ୍ଧିତ ଖବର