ନୂଆଦିଲ୍ଲୀ : ନାଲକୋ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ପୁନର୍ବାସ ଓ ପାରିପାର୍ଶ୍ବିକ ବିକାଶ ଉପଦେଷ୍ଟା କମିଟି (ଆର୍ପିଡିଏସି) ଦ୍ବାରା ବିଭିନ୍ନ ସମୟରେ ସମୀକ୍ଷା କରାଯାଉଛି। ଆଜି ଲୋକସଭାରେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ହେଲା, ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ପ୍ରସଙ୍ଗର ତଦାରଖ ଓ ସମୀକ୍ଷା ଆର୍ପିଡିଏସି ଦ୍ବାରା କରାଯାଇ ସମାଧାନ କରାଯାଇଥାଏ। ନାଲକୋ ବିସ୍ଥାପିତଙ୍କ ସମସ୍ୟା ସଂପର୍କରେ ବିଜେପି ସାଂସଦ ଜୁଏଲ ଓରାମ ପ୍ରଶ୍ନ ପରିପେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତରରେ ଏହା ଅବଗତ କରାଇଛନ୍ତି। ନାଲକୋ ବିସ୍ଥାପିତଙ୍କ ସଂଖ୍ୟା ସଂପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନାଲକୋ ପ୍ରକଳ୍ପ ଯୋଗୁଁ ୬୩୬ ଜଣ ବିସ୍ଥାପିତ ହୋଇଥିଲେ। ଏଥିରୁ ୬୦୧ ଜଣ ଦାମନଯୋଡ଼ି କୋରାପୁଟ ଜିଲ୍ଲାରୁ ଓ ୩୫ ଜଣ ଅନୁଗୁଳ ଜିଲ୍ଲାରୁ ବିସ୍ଥାପିତ ହୋଇଥିଲେ। ଦାମନଯୋଡ଼ିର ୬୦୧ ଜମିହରାଙ୍କ ମଧ୍ୟରୁ ୫୯୯ ଜଣଙ୍କୁ ଓ ଅନୁଗୁଳର ୩୫ ଜଣ ଜମିହରାଙ୍କ ମଧ୍ୟରୁ ୩୪ ଜଣଙ୍କୁ ନାଲକୋରେ ନିଯୁକ୍ତି ଦିଆଯାଇଥିଲା।
ସେହିଭଳି ଏମ୍ସିଏଲ୍ ପ୍ରକଳ୍ପ ଯୋଗୁଁ ଆଜି ସୁଦ୍ଧା ବିସ୍ଥାପିତ ପରିବାରଙ୍କ ସଂଖ୍ୟା ୧୭ ହଜାର ୨୦୦ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ହଜାର ୩୩୦ ପରିବାରଙ୍କୁ ପୁନର୍ବାସର ଲାଭ ଦିଆଯାଇଛି। ୧୨,୩୩୦ ପରିବାରରୁ ୮,୩୬୭ ପରିବାର ସ୍ବୀକୃତ ପୁନର୍ବାସ ଲାଭ ପାଇସାରିବା ପରେ ସ୍ଥାନାନ୍ତର ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।