ନୂଆଦିଲ୍ଲୀ : ଦେଶର ବିଭିନ୍ନ କୋର୍ଟରେ କେନ୍ଦ୍ର ସରକାରଙ୍କର ୬୩୬,୦୦୦ରୁ ଊର୍ଦ୍ଧ୍ବ ମାମଲା ପଡ଼ିଛି। ୫୬ଟି ମନ୍ତ୍ରଣାଳୟ ମଧ୍ୟରୁ ସେଥିରେ ଅର୍ଥ ଓ ରେଳ ମନ୍ତ୍ରଣାଳୟର ସର୍ବାଧିକ ମାମଲା ରହିଛି ବୋଲି ଶୁକ୍ରବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ମେଘୱାଲଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ନୋଡାଲ ମନ୍ତ୍ରଣାଳୟ ଭାବେ ଏହି ମାମଲାଗୁଡ଼ିକର ପରିଚାଳନା କରୁଥିବା ବିଭାଗ ୨୦୨୨-୨୩ରେ ୫୪.୩୫ କୋଟି ଟଙ୍କା ଖର୍ଚ୍ଚ କରିଛି। ୨୦୧୮ରୁ ଗତ ୫ ବର୍ଷ ମଧ୍ୟରେ ଏ ବାବଦରେ ମୋଟ ୨୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Advertisment

ଲୋକସଭା ସାଂସଦ ଦୁଷ୍ୟନ୍ତ ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ମେଘୱାଲ ଏହି ତଥ୍ୟ ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ, କେନ୍ଦ୍ର ସରକାର ଜଡ଼ିତ ଥିବା ମୋଟ ୬୩୬,୬୦୫ଟି ମାମଲା ବିଚାରାଧୀନ ଥିବା ବେଳେ ସେଥି ମଧ୍ୟରେ ଅର୍ଥ ମନ୍ତ୍ରଣାଳୟର ୧୭୯,୪୬୪, ପ୍ରତିରକ୍ଷା ମନ୍ତ୍ରଣାଳୟର ୮୭,୫୪୩, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ୮୦,୧୧୭, ଗୃହ ବ୍ୟାପାର ମନ୍ତ୍ରଣାଳୟର ୨୩,୦୧୨ ଓ ଶିକ୍ଷା ମନ୍ତ୍ରଣାଳୟର ୧୭,୦୦୦ରୁ ଊର୍ଦ୍ଧ୍ବ ମାମଲା ରହିଛି। ତେବେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ୧୦,୪୨୬ ଓ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସର୍ବନିମ୍ନ ୩,୬୬୫ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଥିଲେ।