୬ଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ୬୪% ରହିଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ପ୍ରତିଶତରୁ ତଳକୁ ଖସିଯାଇଛି । ୬ଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ୬୪ ପ୍ରତିଶତ ରହିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ଆକ୍ରାନ୍ତ ସଂଖ୍ୟାର ୯.୮ ପ୍ରତିଶତକୁ ହ୍ରାସ ପାଇଛି । ୬ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ,କେରଳ, ତାମିଲନାଡ଼ୁ,ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ମୋଟ ସକ୍ରିୟ ସଂକ୍ରମିତଙ୍କ ୬୪ ପ୍ରତିଶତ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୩.୨୮ ପ୍ରତିଶତ ସକ୍ରିୟ ସଂକ୍ରମିତ ଥିବାବେଳେ କର୍ଣ୍ଣାଟକରେ ୧୪.୧୯ ପ୍ରତିଶତ ସଂକ୍ରିୟ ସଂକ୍ରମିତ ଅଛନ୍ତି । ସେ କହିଛନ୍ତି ଯେ ଭାରତରେ ଏବେ ବିଶ୍ୱର ସର୍ବାଧିକ କରୋନାରୁ ଆରୋଗ୍ୟଲାଭ କରିଥିବା ବ୍ୟକ୍ତି ରହିଛନ୍ତି । ସେହିପରି ଭାରତରେ ବିଶ୍ୱର ୨ୟ ସର୍ବାଧିକ କରୋନା ପରୀକ୍ଷା କରାଯାଇଛି ।

ବିଶ୍ୱର କେତେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଥିବାବେଳେ ଭାରତରେ ତାହା ହ୍ରାସ ପାଇଚାଲିଛି । ଗତ ୭ ଦିନ ହେବ ଭାରତରେ ପ୍ରତି ନିୟୁତ ଲୋକଙ୍କ ପିଛା ୩୧୦ ଟି କରୋନା ମାମଲା ବାହାରୁଛି ।

ଏହି ଅବସରରେ ଆଇସିଏମଆରର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି ଯେ ଯେଉଁମାନେ ଆରୋଗ୍ୟ ଲାଭ କରିଛନ୍ତି ସେମାନେ ମାସ୍କ ପିନ୍ଧିବା ସହ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କାରଣ ୫ ମାସ ମଧ୍ୟରେ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡି ପୁଣି କମିଗଲେ କରୋନା ଆକ୍ରମଣ କରିପାରେ ।

ସମ୍ବନ୍ଧିତ ଖବର