ନୂଆଦିଲ୍ଲୀ: ବହୁ ଦେଶୀୟ କମ୍ପାନିଗୁଡ଼ିକ ଅନିୟନ୍ତ୍ରିତ ଆଣ୍ଟିବାୟୋଟିକ୍ ଉତ୍ପାଦନ କରି ଭାରତରେ ବିକ୍ରୟ କରୁଥିବାରୁ ଦେଶରେ ଆଣ୍ଟିମାଇକ୍ରୋବାୟାଲ୍ ପ୍ରତିରୋଧକ ସମସ୍ୟା ଜଟିଳ ହେବା ସହ ଔଷଧର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବିଶ୍ୱବ୍ୟାପୀ ଚାଲିଥିବା ଉଦ୍ୟମରେ ବାଧା ସୃଷ୍ଟି କରୁଛି ବୋଲି ଇଂଲଣ୍ଡ ତରଫରୁ କରାଯାଇଥିବା ଏକ ଅଧ୍ୟନରୁ ଜଣାପଡ଼ିଛି।
ଆଜି ସର୍ବସାଧାରଣରେ ପ୍ରକାଶ ପାଇବାକୁ ଥିବା ଉକ୍ତ ରିପୋର୍ଟରେ ଲଣ୍ଡନ୍ସ୍ଥିତ କୁଇନ୍ ମେରି ୟୁନିଭର୍ସିଟି ଗବେଷକମାନେ କହିଛନ୍ତି, ଭାରତୀୟ ବଜାରରେ ବିକ୍ରୟ ହେଉଥିବା ନିୟୁତ ନିୟୁତ ସଂଖ୍ୟକ ଆଣ୍ଟିବାୟୋଟିକ୍ ବଟିକା ଭାରତ, ଇଂଲଣ୍ଡ୍ କିଂବା ଆମେରିକାରେ ନିୟନ୍ତ୍ରିତ ହୋଇ ନାହିଁ। ଏହି ଗବେଷଣା ପତ୍ରଟି ବ୍ରିଟିସ୍ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ୍ ଫାର୍ମାକୋଲୋଜିରେ ପ୍ରକାଶ ପାଇଛି।
ଗବେଷଣାରୁ ଜଣାପଡ଼ିଛି ଯେ ୨୦୦୭ ରୁ ୨୦୧୨ ମଧ୍ୟରେ ଭାରତରେ ବିକ୍ରି ହୋଇଥିବା ଭିନ୍ନ ଭିନ୍ନ ୧୧୮ ପ୍ରକାରର ‘ଫିକ୍ସ୍ଡ୍ ଡୋଜ୍ କମ୍ବିନେସନ୍’ (ଏଫ୍ଡିସି) ମଧ୍ୟରୁ ୬୪% ‘ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍ସିଓ) ଦ୍ୱାରା ଅନୁମୋଦିତ ହୋଇ ନ ଥିଲା। ଆଇନତଃ, ଅଣଅନୁମୋଦିତ ନୂଆ ଔଷଧ ବିକ୍ରୟ ଓ ଯୋଗାଣ ଭାରତରେ ନିଷିଦ୍ଧ।
‘ଏଫ୍ଡିସି’ଗୁଡ଼ିକ ମଧ୍ୟରୁ ମାତ୍ର ୪% ଆମେରିକା କିଂବା ଇଂଲଣ୍ଡରେ ଅନୁମୋଦିତ ହୋଇଥିଲା। ବହୁଳ ଆଣ୍ଟିବାୟୋଟିକ୍ ବ୍ୟବହାର ଓ ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ୍ କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଦେଶ ଭାବେ ଭାରତ ରହିଛି।
ଅଣଅନୁମୋଦିତ ‘ଏଫ୍ଡିସି’ ପାଇଁ ନିମ୍ନମାନର ଆଣ୍ଟିମାଇକ୍ରୋବାୟାଲ୍ ଚୟନ କରାଯାଉଥିବାରୁ ତାହା ପ୍ରତିରୋଧକ ସମସ୍ୟା ଶୋଚନୀୟ କରି ପକାଉଛି। ୩, ୩୦୦ରୁ ଊର୍ଦ୍ଧ୍ୱ ବ୍ରାଣ୍ଡ୍ ନେମ୍ରେ ବିକ୍ରୟ ହେଉଥିବା ‘ଏଫ୍ଡିସି’ ଆଣ୍ଟିବାୟୋଟିକ୍ଗୁଡ଼ିକ ପ୍ରାୟ ୫୦୦ ଫାର୍ମାସ୍ୟୁଟିକାଲ୍ କମ୍ପାନି ଦ୍ୱାରା ନିର୍ମିତ ହେଉଛି। ସେଥିରୁ ୧୨ଟି କମ୍ପାନି ହେଉଛି ବହୁଦେଶୀୟ।
ରିପୋର୍ଟରେ ଉଲ୍ଲେଖ ଅଛି ଯେ ଆବୋଟ୍, ଆସ୍ଟ୍ରା ଜେନିକା, ବ୍ୟାକ୍ସଷ୍ଟର୍, ବେୟର୍, ଏଲି ଲିଲି, ଗ୍ଲାସ୍କୋସ୍ମିଥ୍-କ୍ଲାଇନ୍, ମର୍କ/ଏମ୍ଏସ୍ଡି, ନୋଭାର୍ଟିସ୍, ଫାଇଜର୍, ସାନୋଫି-ଆଭେଣ୍ଟିସ୍ ଏବଂ େଓ୍ଵଥ୍ ଆଦି କମ୍ପାନି ୧୪୮ଟି ବ୍ରାଣ୍ଡ୍ ନେମ୍ରେ ୧୮୮ଟି ‘ଏଫ୍ଡିସି’ରୁ ୫୩ଟି ତିଆରି କରୁଛନ୍ତି।
ଏଥିରୁ ୩୩ଟି ‘ସିଡିଏସ୍ସିଓ’ ଅନୁମୋଦିତ ଓ ମାତ୍ର ୪ଟି ଆମେରିକା କିଂବା ଇଂଲଣ୍ଡ୍ର ଅନୁମୋଦନ ପାଇଛନ୍ତି। ବହୁଦେଶୀୟ କମ୍ପାନି ତିଆରି କରୁଥିବା ‘ଏଫ୍ଡିସି’ ଫର୍ମ୍ୟୁଲେସନ୍ ମଧ୍ୟରୁ ୨୦ଟିର ‘ସିଡିଏସ୍ସିଓ’ ଅନୁମୋଦନ ରେକର୍ଡ ନାହିଁ। ସେଥିରୁ ୧୮ଟି ଆବୋଟ୍ କମ୍ପାନି ଦ୍ୱାରା ତିଆରି। ୨୦୧୧-୧୨ ସୁଦ୍ଧା ‘ଏଫ୍ଡିସିି’ରେ ତିଆରି ହୋଇଥିବା ଆଣ୍ଟିବାୟୋଟିକ୍ ଭାରତରେ ବିକ୍ରୟ ହୋଇଥିବା ସମୁଦାୟ ଆଣ୍ଟିବାୟୋଟିକ୍ର ଏକ ତୃତୀୟାଂଶ। ସେଥିରୁ ୩୪. ୫% ‘ଏଫ୍ଡିସି’ ଥିଲା ଅଣଅନୁମୋଦିତ ଫର୍ମୁଲାରେ ତିଆରି।