ଚତୁର୍ଥ ପର୍ଯ୍ୟାୟରେ ମତଦାନ ହାର ୬୪.୬୬ % ରହିବା ସହ ୭୧ ଆସନ ପାଇଁ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ହେଲା ସିଲ୍‌

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ୬ଟାରେ ଶେଷ ହୋଇଯାଇଛି। ହସ୍ତଗତ ହୋଇଥିବା ପ୍ରାଥମିକ ଆକଳନ ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। (ତେବେ, ଏହା ଚୂଡ଼ାନ୍ତ ନୁହେଁ; ଏହା ଆହୁରି ବଢ଼ିପାରେ)। କାଁ ଭାଁ ଗଣ୍ଡଗୋଳକୁ ବାଦଦେଲେ ଚତୁର୍ଥ ପର୍ଯ୍ୟାୟର ଭୋଟ ଗ୍ରହଣ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଜାଣିବାକୁ ମିଳିଛି।

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ କରା ଯାଇଥିଲା। ବିହାରର ୫ଟି ଲୋକସଭା ଆସନ, ଝାଡ଼ଖଣ୍ଡର ୩, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୧୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୩, ରାଜସ୍ଥାନର ୧୩ ଏବଂ ପଶ୍ଚିମବଂଗର ୮ଟି ଲୋକସଭା ଆସନ ନିମନ୍ତେ ଆଜି ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା।
ଚତୁର୍ଥ ପର୍ଯ୍ୟାୟରେ ମୋଟ ୯୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ଲୋକସଭାର ୫୪୩ ଆସନ ମଧ୍ୟରୁ ପୂର୍ବରୁ ୩୦୩ ଆସନ ପାଇଁ ଭୋଟ୍‌ ଗ୍ରହଣ ସରିଛି। ପ୍ରଥମ ପର୍ଯ୍ୟାୟରେ ୯୧, ଦ୍ଵିତୀୟ ପର୍ଯ୍ୟାୟରେ ୯୫ ଏବଂ ତୃତୀୟ ପର୍ଯ୍ୟାୟରେ ୧୧୭ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ଆଜି ଚତୁର୍ଥ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ମତଦାନ ମେ’ ୬ ତାରିଖରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର