ଆସାମରେ ଆତ୍ମସମର୍ପଣ କଲେ ୬୪୪ ଉଗ୍ରପନ୍ଥୀ

ଗୌହାଟୀ: ଆସାମରେ ଉଗ୍ରପନ୍ଥୀମାନେ ଏବେ ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରୁଛନ୍ତି। ଏହି ପ୍ରକ୍ରିୟାରେ ୮ଟି ବିଦ୍ରୋହୀ ସଂଗଠନର ସମୁଦାୟ ୬୪୪ ଉଗ୍ରପନ୍ଥୀ ଆଜି ୧୭୭ଟି ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଗୌହାଟୀ ମେଡିକାଲ କଲେଜର ସଭାକକ୍ଷରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ଙ୍କ ଉପସ୍ଥିତିରେ ୟୁଏଲଏଫ୍‌ଏ (ଆଇ), ଏନଡିଏଫ୍‌ବି, ଆରଏନଏଲଏଫ୍‌, କେଏଲ୍‌ଓ, ସିପିଆଇ (ମାଓବାଦୀ), ଏନ୍‌ଏସଏଲ୍‌ଏ, ଏଡିଏଫ୍‌ ଏବଂ ଏନଏଲଏଫ୍‌ବିର ସଦସ୍ୟମାନେ ଆତ୍ମସମର୍ପଣ କରିଛନ୍ତି। ଉଗ୍ରପନ୍ଥୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ। ଆସାମ ଡିଜିପି ଭାସ୍କର ଜ୍ୟୋତି ମହନ୍ତ କହିଛନ୍ତି ରାଜ୍ୟରେ ସ୍ଥାୟୀ ଶାନ୍ତି ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ। ଉଗ୍ରପନ୍ଥୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ସରକାର ଶାନ୍ତି ପ୍ରସ୍ତାବ ଦେଇଥିଲେ ଏବଂ ଉଗ୍ରପନ୍ଥୀମାନେ ଏହାକୁ ବିନା କୌଣସି ସର୍ତ୍ତରେ ଗ୍ରହଣ କରିବା ଏକ ବହୁତ ବଡ଼ ଉପଲବ୍ଧି ବୋଲି କୁହାଯାଇଛି।
ବୋଡ଼ୋ ଉଗ୍ରବାଦୀ ସଂଗଠନର ମୁଖ୍ୟ ବି. ସଇରାଗୋବ୍‌ରା ନିଜ ପରିବାର ସହିତ ୫୦ରୁ ଅଧିକ ଉଗ୍ରପନ୍ଥୀଙ୍କ ସହିତ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସୁରକ୍ଷା ସଂସ୍ଥା ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଏ ଦିଗରେ ଚଳାଇଥିବା ପ୍ରୟାସର ସୁଫଳ ଏବେ ମିଳିଛି। ଏବେ କେବଳ ଉଲ୍‌ଫା ଗୋଷ୍ଠୀର ଉଗ୍ରପନ୍ଥୀମାନେ ହିଁ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସରକାର ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି।

ସମ୍ବନ୍ଧିତ ଖବର