ନୂଆଦିଲ୍ଲୀ: ପାଇଲଟ୍ ଫଟିଗ୍ (ବୈମାନିକ କ୍ଳାନ୍ତି) ଗ୍ଲୋବାଲ୍ ଏଭିଏସନ୍ ପାଇଁ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି। ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ପକ୍ଷରୁ ୫୪୨ ଜଣ ଭାରତୀୟ ପାଇଲଟଙ୍କ ଉପରେ ନିକଟରେ ଏକ ସର୍ଭେ କରାଯାଇଥିଲା। ସେଥି ମଧ୍ୟରୁ ୬୬ ପ୍ରତିଶତ ବୈମାନିକ ସ୍ବୀକାର କରିଥିଲେ ଯେ ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ସେମାନେ କକ୍ପିଟ୍ରେ ଶୋଇପଡ଼ନ୍ତି। ଏହି ସର୍ଭେ ଫଳାଫଳ ପ୍ରକାଶ ପାଇବା ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତା’ର ବୈମାନିକ କ୍ଳାନ୍ତି ବିନିୟମନରେ ଆବଶ୍ୟକ ସଂସ୍କାର ଆଣିବାର ଆବଶ୍ୟକତା ଦେଖାଦେଇଛି।
ଗୁରୁଗ୍ରାମର ଏନ୍ଜିଓ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାଗଲା ଯେ ବିମାନ ଉଡ଼ୁଥିବା ସମୟରେ ନିଦ ମାଡ଼ିଲେ ପାଇଲଟ୍ କକ୍ପିଟ୍ରେ ଶୋଇପଡ଼ନ୍ତି, ଅଥଚ ସାଥୀ କର୍ମଚାରୀମାନଙ୍କୁ ଏ ବିଷୟରେ ସଚେତନ କରାଇ ନ ଥାନ୍ତି। ପ୍ରାୟ ୫୪ ପ୍ରତିଶତ ପାଇଲଟ୍ଙ୍କୁ ଦିନବେଳା ପ୍ରବଳ ନିଦ ଲାଗେ ଏବଂ ୪୧ ପ୍ରତିଶତଙ୍କୁ ସାମାନ୍ୟ ନିଦ ଲାଗେ। ୭୪ ପ୍ରତିଶତ ପାଇଲଟ୍ କହିଛନ୍ତି ଯେ ଲାଗ ଲାଗ ଗୋଟିକ ପରେ ଗୋଟିଏ ବିମାନ ଉଡ଼ାଇବା ଏବଂ ବିଶେଷକରି ସକାଳବେଳା ବିମାନ ଉଡ଼ାଇବା ସେମାନଙ୍କ କ୍ଳାନ୍ତିର ମୂଳ କାରଣ। ବିନା ସାପ୍ତାହିକ ଛୁଟି ବା ବିଶ୍ରାମରେ ବୈମାନିକମାନଙ୍କୁ କ୍ରମାଗତ କାମ କରିବାକୁ ଦିଆଯାଉଛି। କମର୍ସିଆଲ ପାଇଲଟ୍ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଡିଜିସିଏ ଯେଉଁ ମାର୍ଗଦର୍ଶିକା ଜାରି କରୁଛି, ତାହା କରିବା ପୂର୍ବରୁ ପାଇଲଟ୍ମାନଙ୍କର ଓ ସେମାନଙ୍କ ସଂଘର ମତାମତ ନେବା ଉଚିତ। ବର୍ତ୍ତମାନ ଡିଜିସିଏର ଯେଉଁ ମାର୍ଗଦର୍ଶିକା ଅଛି ତାହା ବଦଳରେ ଏକ ନୂଆ ମାର୍ଗଦର୍ଶିକା ତିଆରି ହେବା ଆବଶ୍ୟକ। ବୈମାନିକ କ୍ଳାନ୍ତି ଦୂର କରିବା ଲାଗି ଡିଜିସିଏ କିଛି କରୁନାହିଁ ବୋଲି ୯୮ ପ୍ରତିଶତ ପାଇଲଟ୍ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/pilot.jpg)