ଦଳ ଜାଣନ୍ତିନି, ଏତେ ଦେଲା କିଏ ? ଅଜଣା ସୂତ୍ରରୁ ୭ ଦଳର ୬୬ ପ୍ରତିଶତ ଆୟ

ନୂଆଦିଲ୍ଲୀ: ୨୦୨୧-୨୨ରେ ୭ଟି ଜାତୀୟ ରାଜନୈତିକ ଦଳ ସେମାନଙ୍କ ମୋଟ୍‌ ଆୟର ୬୬ ପ୍ରତିଶତ ଅଜଣା ସୂତ୍ରରୁ ଗ୍ରହଣ କରିଛନ୍ତି। ଏଡିଆର (ଏସୋସିଏସନ ଫର ଡିମୋକ୍ରାଟିକ ରିଫର୍ମ‌୍‌ସ) ରିପୋର୍ଟ ଅନୁଯାୟୀ ୭ଟି ଜାତୀୟ ଦଳ ଯଥା ବିଜେପି, କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ, ସିପିଏମ୍‌ ଏବଂ ଏନ୍‌ପିପି ୨୦୨୧-୨୨ରେ ୨,୧୭୨ କୋଟି ଟଙ୍କା ଅଜଣା ସୂତ୍ରରୁ ଗ୍ରହଣ କରିଛନ୍ତି। ସେମାନଙ୍କ ମୋଟ୍‌ ଆୟର ଏହା ୬୬.୦୪ ପ୍ରତିଶତ। ତେବେ ଏଥିରୁ ୧୮୧୧.୯୪ କୋଟି ବା ୮୩.୪୧ ପ୍ରତିଶତ କେବଳ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଜରିଆରେ ଆସିଛି। ଏଡିଆର ଅନୁଯା‌ୟୀ ଉପରୋକ୍ତ ୭ ରାଜନୈତିକ ଦଳର ବ‌ାର୍ଷିକ ଅଡିଟ୍‌ ରିପୋର୍ଟରେ ଏହି ଅଜଣା ସୂତ୍ର କଥା ଉଲ୍ଲେଖ କରାଯାଇଛି କିନ୍ତୁ ରୋଜଗାରର ସୂ୍ତ୍ର ଦିଆଯାଇନି। ବର୍ତ୍ତମାନ ରାଜନୈତିକ ଦଳ ଗୁଡ଼ିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ ଦ୍ବାରା ମିଳୁଥିବା ଚାନ୍ଦା କିମ୍ବା ୨୦ ହଜାରରୁ କମ୍‌ ଚାନ୍ଦା ଦେଉଥିବା ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନର ନାମ ପ୍ରକାଶ କରିବାର ଆବଶ୍ୟକତା ନାହିଁ। ୨୦୨୧-୨୨ରେ ବିଜେପି ଅଜଣା ସୂତ୍ରରୁ ୧,୧୬୧ କୋଟି ଟଙ୍କା ପାଇଛି। ଜାତୀୟ ଦଳ ଗୁଡ଼ିକ ଅଜଣା ସୂତ୍ରରୁ କରିଥିବା ମୋଟ୍‌ ରୋଜଗାରର ଏହା ୫୩.୪୫ ପ୍ରତିଶତ। ଟିଏମ୍‌ସି ଅଜଣା ସୂତ୍ରରୁ ୫୨୮ କୋଟି ଆୟ କରିଥିବା ଘୋଷଣା କରିଛି। ଜାତୀୟ ଦଳ ଗୁଡ଼ିକର ଅଜଣା ସୂତ୍ରରୁ ହୋଇଥିବା ମୋଟ୍‌ ରୋଜଗାରର ଏହା ୨୪.୩୧ ପ୍ରତିଶତ। ୨୦୦୪-୦୫ ଏବଂ ୨୦୨୧-୨୨ ମଧ୍ୟରେ ଜାତୀୟ ଦଳ ଗୁଡ଼ିକ ଅଜଣା ସୂତ୍ରରୁ ୧୭,୨୪୯ .୪୫ କୋଟି ସଂଗ୍ରହ କରିଛନ୍ତି। ୨୦୦୪-୦୫ରୁ ୨୦୨୧-୨୨ ମଧ୍ୟରେ କଂଗ୍ରେସ ଓ ଏନ୍‌ସିପି କୁପନ୍‌ ବିକି ୪,୩୯୮.୫୧ କୋଟି ପାଇଛନ୍ତି।

ସମ୍ବନ୍ଧିତ ଖବର