ହିମାଚଳ‌ରେ ୬୬% ମତଦାନ: ଡିସେମ୍ବର ୮ରେ ଫଳାଫଳ

‌ଭୋଟ୍‌ ଦେବା ପାଇଁ ବରଫରେ ୧୪ କିମି ଚାଲିଲେ, ୮୩ ବର୍ଷୀୟା ବୃଦ୍ଧା

ସିମଲା: ହିମାଚଳପ୍ରଦେଶରେ ୬୮ ବିଧାନସଭା ଆସନ ପାଇଁ ଆଜି ଭୋଟ୍‌ ଶେଷ ହୋଇଛି। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ସକାଳ ୮ଟାରେ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରବଳ ଥଣ୍ଡା ଯୋଗୁଁ ପ୍ରଥମେ ମତଦାନ ମନ୍ଥର ଥିଲା। ସକାଳ ୯ଟା ସୁଦ୍ଧା ମତଦାନ ମାତ୍ର ୪ ପ୍ରତିଶତ ଥିଲା। କିନ୍ତୁ ଧୀରେ ଧୀରେ ଶୀତ କମିବା ସହ ଭୋଟରଙ୍କ ସଂଖ୍ୟା ବଢ଼ିଥିଲା। ପ୍ରବଳ ଥଣ୍ଡାକୁ ଖାତିର ନକରି ହିମାଚଳର ନାଗରିକମାନେ ଆଜି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି। ସନ୍ଧ୍ୟା ୫ଟାରେ ଭୋଟ୍‌ ଶେଷ ହେବା ସହ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ରହିଛି। ନିର୍ବାଚନ କମିସନ ହିମାଚଳରେ ମୋଟ୍‌ ୭,୮୮୪ ଭୋଟିଂ ବୁଥ୍‌ ପ୍ରତିଷ୍ଠା କରିଥିଲେ। ଲାହୋଲ ସ୍ପିଟି ଜିଲ୍ଲାର ତାସିଂଗାଙ୍ଗରେ କମିସନ୍‌ ସର୍ବୋଚ୍ଚ ବୁଥ୍‌ ସ୍ଥାପନ କରିଥିଲେ। ଏହା ହେଉଛି ବିଶ୍ବର ସବୁଠାରୁ ଉଚ୍ଚରେ ଥିବା ବୁଥ୍‌।

ନିର୍ବାଚନ କମିସନ କହିଛନ୍ତି, ସକାଳ ୧୧ଟା ସୁଦ୍ଧା ହିମାଚଳରେ ମାତ୍ର ୧୯.୯୮ ପ୍ରତିଶତ ମତଦାନ ହୋଇଥିଲା। ଅପରାହ୍ନ ୧ଟା ସୁଦ୍ଧା ୩୭.୧୯ ପ୍ରତିଶତ ଏବଂ ୩ଟା ସୁଦ୍ଧା ୫୫.୬୫ ପ୍ରତିଶତ ମତଦାନ ହୋଇଥିଲା। ସିରମୋରରେ ସର୍ବାଧିକ ୭୨.୩୫ ପ୍ରତିଶତ ମତଦାନ ହୋଇଥିବାବେଳେ, ସୋଲନରେ ୬୮.୪୮ ପ୍ରତିଶତ, ଉନାରେ ୬୭.୬୭ ପ୍ରତିଶତ , ଲାହୋଲ ଏବଂ ସ୍ପିଟିରେ ୬୭.୫ ପ୍ରତିଶତ ମତଦାନ ହୋଇଛି। ତେବେ ଶିଲ୍ଲାଇରେ ସର୍ବାଧିକ ୭୭ ପ୍ରତିଶତ ଭୋଟର ଅଂଶଗ୍ରହଣ କରିଥିବାବେଳେ ସାଗରକୋଟରେ ସର୍ବନିମ୍ନ ୫୫.୪୦ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆଜି ତାଙ୍କ ପତ୍ନୀ ଏବଂ ଝିଅଙ୍କ ସହ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା‌ କରିବାପରେ ମଣ୍ଡିରେ ଭୋଟ୍‌ ଦେଇଛନ୍ତି। ହିମାଚଳ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ ଏବଂ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ରାମପୁରରେ ଭୋଟ୍‌ ଦେଇଛନ୍ତି। ବିଜେପି ସଭାପତି ଜେପି ନଡ୍ଡା ନିଜ ପରିବାର ସଦସ୍ୟଙ୍କ ସହ ହିମାଚଳର ବିଳାସପୁରରେ ଭୋଟ୍‌ ଦେଇଛନ୍ତି। ଡିସେମ୍ବର ୮ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ହିମାଚଳପ୍ରଦେଶ ଭୋଟରଙ୍କୁ ଗଣତନ୍ତ୍ରର ମହାପର୍ବରେ ଉତ୍ସାହର ସହ ସାମିଲ ହେବାପାଇଁ ଅନୁରୋଧ କରିଥିଲେ। ଏକ ଟ୍ବିଟ୍‌ କରି ମୋଦୀ ମଧ୍ୟ ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ଯୁବ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

The Financial Express

ଇତିହାସ ସୃଷ୍ଟି କଲା ତାସିଂଗାଙ୍ଗ: ବିଶ୍ବର ସର୍ବୋଚ୍ଚ ମତଦାନ କେନ୍ଦ୍ରରେ ୧୦୦% ମତଦାନ

ସିମଲା: ହିମାଳଚରେ ବିଶ୍ବର ସର୍ବୋଚ୍ଚ ମତଦାନ କେନ୍ଦ୍ର ତାସିଂଗାଙ୍ଗ ଆଜି ଇତିହାସ ସୃଷ୍ଟି କରିଛି। ଲାହଲ ଏବଂ ସ୍ପିଟିରେ ଅବସ୍ଥିତ ତାଶିଂଗାଙ୍ଗ ମତଦାନ କେନ୍ଦ୍ରରେ ପଂଜିକୃତ ହୋଇଥିବା ସମସ୍ତ ୫୨ ଜଣ ଭୋଟର ଆଜି ଭୋଟ୍‌ ଦେଇଛନ୍ତି। ତାସିଂଗାଙ୍ଗରେ ୧୫,୨୫୬ ଫୁଟ୍‌ ଉଚ୍ଚତାରେ ଏହି ମତଦାନ କେନ୍ଦ୍ର ଅବସ୍ଥିତ। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ଭୋଟିଂ ସୁବିଧା କରିବାପାଇଁ ତାସିଂଗାଙ୍ଗକୁ ଏକ ମଡେଲ ଭୋଟିଂ ବୁଥ୍‌ରେ ପରିଣତ କରାଯାଇଛି। ଏଠାରେ ଶତ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୋଟରମାନଙ୍କୁ ଅଧିକ ଉତ୍ସାହିତ କରିବାପାଇଁ ନିର୍ବାଚନ ଅଧିକାରୀମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ ଏବଂ ଭୋଟିଂ ବୁଥ୍‌ର ପ୍ରବେଶ ପଥରେ ଭୋଟରମାନଙ୍କୁ ସାଲ୍‌ ଉପହାର ଦିଆଯାଇଥିଲା।

‌ଭୋଟ୍‌ ଦେବା ପାଇଁ ବରଫରେ ୧୪ କିମି ଚାଲିଲେ ୮୩ ବର୍ଷୀୟା ବୃଦ୍ଧା

ସିମଲା: ହିମାଚଳପ୍ରଦେଶର ଭୋଟରମାନେ ଗଣତନ୍ତ୍ରର ମହାପର୍ବରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ବରିଷ୍ଠମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ନିର୍ବାଚନ କମିସନ୍‌ ୮୦ ବର୍ଷରୁ ଊର୍ଦ୍ଧ୍ବ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ ଭୋଟ୍‌ ବ୍ୟବସ୍ଥା କରିଥିଲେ ସୁଦ୍ଧା ଅନେକ ବୟସ୍କ ଭୋଟର ଭୋଟିଂ ବୁଥ୍‌ ଯାଇ ଇଭିଏମ୍‌ ମେସିନ୍‌ରେ ଭୋଟ୍‌ ଦେବାକୁ ପସନ୍ଦ କରିଛନ୍ତି। ଏଭଳି ଜଣେ ଭୋଟର ହେଉଛନ୍ତି ୮୩ ବର୍ଷୀୟା ଡୋଲମା। ଚାମ୍ବା ଜିଲ୍ଲାର ପାଙ୍ଗି ଅଞ୍ଚଳ ସ୍ଥିତ ଚସକ ଭତୋରି ମତଦାନ କେନ୍ଦ୍ରରେ ସେ ଭୋଟ୍‌ ଦେଇଛନ୍ତି। ଏଥିପାଇଁ ତାଙ୍କୁ ୧୪ କିମି ବାଟ ବରଫରେ ଚାଲିବାକୁ ପଡ଼ିଛି। ଚସକ ଭତୋରି ଭୋଟିଂ ବୁଥ୍‌ ଭାରମୋର ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି। ସେହିପରି ଜଣେ ୧୦୩ ବର୍ଷୀୟ ବ୍ୟକ୍ତି ପ୍ୟାର ସିଂହ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ସହ ମିଶି ମତଦାନ କରିଛନ୍ତି। ନରଜମ ମଣି ନାମକ ଜଣେ ୯୦ ବର୍ଷୀୟ ବୃଦ୍ଧା ଏବଂ ତାଙ୍କ ୮୭ ବର୍ଷୀୟ ସ୍ବାମୀ ଭୀସମ ଦାସ ମଧ୍ୟ ଭୋଟିଂ ବୁଥ୍‌ ଯାଇ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର