ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୬୯୩ ଆକ୍ରାନ୍ତ; ଦେଶବ୍ୟାପୀ ୪୨୮୧ ଆକ୍ରାନ୍ତ, ୧୧୧ ମୃତ, ଆକ୍ରାନ୍ତଙ୍କ ମଧ୍ୟରେ ୭୬% ପୁରୁଷ, ୨୪% ମହିଳା

୩ ଦିନ ମଧ୍ୟରେ ଭାରତରେ ଟେଷ୍ଟିଂ ଦ୍ବିଗୁଣା ହେବ

 

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ୬୯୩ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪୨୮୧ରେ ପହଞ୍ଚିଛି। ଏଥିରୁ ଦିଲ୍ଲୀରେ ଅନୁଷ୍ଠିତ ତବଲିଗି ଜମାତ ସମ୍ମିଳନୀ ସହିତ ସଂପୃକ୍ତ ୧୪୪୫ ଜଣ ଅଛନ୍ତି। ଦେଶର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ଏବଂ ୨୪ ପ୍ରତିଶତ ମହିଳା ଅଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୭୩ ପ୍ରତିଶତ ପୁରୁଷ ଥିବା ବେଳେ ୨୭ ପ୍ରତିଶତ ମହିଳା ରହିଛନ୍ତିା ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକଙ୍କ ବୟସ ୬୦ରୁ ଅଧିକ ରହିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୧ରେ ପହଞ୍ଚିଛି ଏବଂ ୩୧୮ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ଜଣାପଡ଼ିଛି।

ଗୋଟିଏ ଦିନରେ ପ୍ରାୟ ୭ ଶହ ମାମଲା ବଢ଼ିଥିବାରୁ କରୋନା ମୁକାବିଲା ପାଇଁ ସବୁ ରାଜ୍ୟରେ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରହିଛି ଏବଂ ଆବଶ୍ୟକସ୍ଥଳେ କଟକଣା ଅଧିକ କଠୋର କରାଯିବ ବୋଲି ସଙ୍କେତ ମିଳିଛି। ଭୋପାଳରେ ଆଜି ୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିରେ ୫ ଜଣ ପୁଲିସ କର୍ମୀ ଓ ୪ ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। କରୋନା ମୁକାବିଲାରେ ନିୟୋଜିତ ସୁରକ୍ଷା ଓ ସ୍ବାସ୍ଥ୍ୟ କର୍ମୀଙ୍କ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏ ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ତବଲିଗି ଜମାତ ପୂରା ଦେଶରେ କରୋନା ବିପଦକୁ ବଢ଼ାଇଥିବାରୁ ଏହାର ମୁଖ୍ୟ ମୌଲାନା ସାଦଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୦ରେ ପହଞ୍ଚିଛି। ଅନ୍ୟପକ୍ଷରେ ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୫୭୧ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୫୦୩ ଏବଂ କେରଳରେ ୩୬୫ରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ଜମାତୀଙ୍କ ପାଇଁ ସଂକ୍ରମଣ ବଢ଼ୁଥିବାରୁ ସେମାନେ ଆତ୍ମଗୋପନ ନ କରି ତୁରନ୍ତ ପ୍ରଶାସନକୁ ସହଯୋଗ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶରେ ମୋଟ ମାମଲା ୨୩୨ରେ ପହଞ୍ଚିଥିବା ବେଳେ ବିହାରରେ ୩୦ ଏବଂ ଗୁଜରାଟରେ ୧୨୨ରେ ପହଞ୍ଚିଛି। ହରିୟାଣାହରେ ୮୪ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଜମ୍ମୁ କଶ୍ମୀରରେ ୧୦୬ ମାମଲା ଜଣାପଡ଼ିଛି। କର୍ଣ୍ଣାଟକରେ ୧୫୧ ମାମଲା ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୧୬୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସବୁ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ସରକାର ଆଗକୁ ‌କଠୋର କଟକଣା ଜାରି ରଖିବାକୁ ଯୋଜନା କରିଛନ୍ତି।

୧୪୪୫ ଆକ୍ରାନ୍ତ ତବଲିଗି ଜମାତ ସହ ସଂପୃକ୍ତ
୩୧୮ ଜଣ ସୁସ୍ଥ ହେଲେ

୩ ଦିନ ମଧ୍ୟରେ ଭାରତରେ ଟେଷ୍ଟିଂ ଦ୍ବିଗୁଣା ହେବ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ପ୍ରତି ୩ ଦିନରେ ଥ‌ରେ ନମୁନା ପରୀକ୍ଷାକୁ ଦୁଇଗୁଣ କରିବାକୁ ଚାହିଛନ୍ତି। ଆରଟି-ପିସିଆର ପ୍ରୋସେସ୍‌ରେ ଏହି ପରୀକ୍ଷା କରାଯିବ। ସଠିକ୍‌ ପରୀକ୍ଷା ରିପୋର୍ଟ ଜାଣିବାପାଇଁ ସରକାରୀ ଲାବ୍ରୋଟରିଗୁଡ଼ିକରେ ଏହି ଆରଟି-ପିସିଆର ପ୍ରୋସେସ୍‌କୁ ବାଧ୍ୟତାମୂଳକ କରାଯାଇଛି। ଭାରତରେ ଏବେ ସରକାରୀ ଲ୍ୟାବ୍‌ଗୁଡ଼ିକ ଆଇସିଏମ୍ଆର ଅଧୀନରେ ପ୍ରତିଦିନ ୧୦,୦୦୦ ନମୁନା ପରୀକ୍ଷା କରୁଛନ୍ତି। ଏହା ଆସନ୍ତା ୩ ଦିନ ମଧ୍ୟ‌ରେ ୨୦,୦୦୦କୁ ବୃଦ୍ଧି କରାଯିବ। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ଆହୁରି ଅଧିକ ମଧ୍ୟ ବୃଦ୍ଧି ପାଇବ। ଏହାବାଦ୍‌ କରୋନା ସନ୍ଦିଗ୍ଧଙ୍କୁ ପରୀକ୍ଷା ପାଇଁ ଟିବି ପରୀକ୍ଷାରେ ବ୍ୟବହୃତ ହେଉଥିବା ପ୍ରାୟ ୨୫୦ ଟ୍ରୁନ୍ୟାଟ୍‌ ମେସିନ୍‌ ଏବଂ ୨୦୦ ସିବି-ନ୍ୟାଟ୍‌ ମେସିନ୍‌ ମଧ୍ୟ ବ୍ୟବହାର ହେବ।

ସମ୍ବନ୍ଧିତ ଖବର