ଅରୁଣାଚଳ ପ୍ରଦେଶ : ବରଫ ଝଡ଼ରେ ଫସି ନିଖୋଜ ଥିବା ୭ ଭାରତୀୟ ସୈନ୍ୟଙ୍କ ମୃତଦେହ ମିଳିଲା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଗତ ୬ ତାରିଖ ଦିନ ନିଖୋଜ ହୋଇଯାଇଥିବା ୭ ଭାରତୀୟ ସୈନ୍ୟଙ୍କ ମୃତଦେହ ମିଳିଛି । ଏକ ଭୟଙ୍କର ବରଫ ଝଡ଼ର ସମ୍ମୁଖୀନ ହୋଇ ସେମାନେ ମୃତ୍ୟୁବରଣ କରିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତ ୬ ତାରିଖରେ ଏହି ସୈନ୍ୟମାନେ ଅରୁଣାଚଳପ୍ରଦେଶର କେମେଙ୍ଗ ସେକ୍ଟରରେ ନିୟମିତ ପାଟ୍ରୋଲିଂ କରୁଥିବାବେଳେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇଥିଲେ । ସେବେଠାରୁ ସେମାନେ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ସନ୍ଧାନ ପାଇଁ ଭାରତୀୟ ସେନା ପକ୍ଷରୁ ବଡ଼ ଧରଣର ଅଭିଯାନ ଚାଲିଥିଲା । ଘଟଣାସ୍ଥଳଟି ଉଚ୍ଚପାର୍ବତ୍ୟାଞ୍ଚଳ ହୋଇଥିବାରୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଉଦ୍ଧାରକାରୀମାନଙ୍କୁ ହେଲିକାପ୍ଟର ମାଧ୍ୟମରେ ସେଠାରେ ନିୟୋଜିତ କରାଯାଇଥିଲା ।  କିନ୍ତୁ ଆଜି ବରଫ ଝଡ଼ ଆସିଥିବା ସ୍ଥାନରେ ସେମାନଙ୍କର ମୃତଦେହ ମିଳିଛି ବୋଲି ସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଉକ୍ତ ସ୍ଥାନରେ ଗତ କିଛି ଦିନ ହେବ ଖରାପ ପାଗ ଓ ବରଫ ଝଡ଼ ଲାଗି ରହିଛି । ଏହି କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା ।

୨୦୨୦ରେ ଲଦାଖରେ ଚୀନ ସହ ଭାରତୀୟ ସେନାଙ୍କ ସଂଘର୍ଷ ପରେ ଅରୁଣାଚଳ ପ୍ରଦେଶ ସୀମାରେ ବି ଭାରତୀୟ ସେନାର ପାଟ୍ରୋଲିଂକୁ ବଢାଇଦିଆଯାଇଛି । ସେଠାରେ ଅଧିକ ସଂଖ୍ୟକ ସୈନ୍ୟ ଓ ଉପକରଣ ନିୟୋଜିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଅରୁଣାଚଳପ୍ରଦେଶକୁ ଚୀନ ନିଜର ଅଂଚଳ ବୋଲି ଦାବି କରୁଛି ।

ସମ୍ବନ୍ଧିତ ଖବର