ଚେନ୍ନାଇ: ରବିବାର ରାତିରେ ୭ଜଣ ବାଇକ୍‌ଆରୋହୀ ବ୍ୟକ୍ତି ଦୁଇଟି ଦେଶୀ ବୋମା ଫିଙ୍ଗି ପୁଡ୍ଡୁଚେରୀର ଗୃହମନ୍ତ୍ରୀଙ୍କର ଜଣେ ସମ୍ପର୍କୀୟଙ୍କୁ ତଳେ ପକାଇ ଦେବା ପରେ ପିଟି ପିଟି ହତ୍ୟା କରିଛନ୍ତି।

Advertisment

ଘଟଣାଟି ରାତି ୯ଟା ବେଳେ ଘଟିଛି। ମୃତ ବ୍ୟକ୍ତିଜଣକ ଥିଲେ ୪୫ ବର୍ଷିୟ ସେନ୍ତିଲ୍‌ କୁମାର। କାନୁବପେତ୍ତାଇବାସୀ କୁମାର ହେଉଛନ୍ତି ପୁଡ୍ଡୁଚେରୀର ଗୃହମନ୍ତ୍ରୀ ଏ. ନମଶିବାୟମ୍‌ଙ୍କର ଆତ୍ମୀୟ ତଥା ‘ବିଜେପି’ର ଜଣେ କର୍ମୀ। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଗୋଟାଏ ‘ବେକେରି’ (ପାଉଁରୁଟି କାରଖାନା) ପାଖରେ ଠିଆ ହୋଇଥିବା ବେଳେ ବାଇକ୍‌ଆରୋହୀମାନେ ତାଙ୍କୁ ଘେରିଯାଇଥିଲେ।

ପୁଲିସ କହିବା ଅନୁସାରେ, ବାଇକ୍‌ଆରୋହୀ ଗ୍ୟାଙ୍ଗ୍‌ ପ୍ରଥମେ କୁମାରଙ୍କ ଆଡ଼କୁ ୨ଟି ଦେଶୀ ବୋମା ଫିଙ୍ଗିଥିଲେ। ସେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

publive-image Image Courtesy of APN Live

କ୍ଷଣିକରେ ଘଟଣାସ୍ଥଳରେ ଗୃହମନ୍ତ୍ରୀ ଏ. ନମଶିବାୟଙ୍କ ସମତେ ପ୍ରାୟ ୭୦୦ ‘ବିଜେପି’ କର୍ମକର୍ତ୍ତା ଓ କୁମାରଙ୍କ ଅନ୍ୟ ଆତ୍ମୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁମାରଙ୍କ ଶବ ଦେଖି ଗୃହମନ୍ତ୍ରୀ ଏ. ନମଶିବାୟଙ୍କ କାନ୍ଦି ପକାଇ‌ଥିଲେ।

ଘଟଣାସ୍ଥଳରେ ପହଞ୍ଚି ପୁଲିସ କୁମାରଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇଛି। ସେ ଅଞ୍ଚଳର ‘ସିସିଟିଭି’ ଫୁଟେଜ୍‌ ସବୁକୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ଫୁଟେଜ୍‌ରେ ସ୍ପଷ୍ଟ ଦେଖାଯାଉଛି, ଜଣେ ବ୍ୟକ୍ତି କୁମାରଙ୍କ ଆଡ଼କୁ ଦୁଇଟି ଦେଶୀ ବୋମା ଫୁଙ୍ଗୁଛନ୍ତି। ଘଟଣାସ୍ଥଳରେ ଧୂଆଁ ବ୍ୟାପିଯାଉଥିବା ବେଳେ ଗ୍ୟାଙ୍ଗ୍‌ର ଅନ୍ୟମାନ‌େ ବାଡ଼ିରେ କୁମାରଙ୍କୁ ପିଟୁଥିବା ଦେଖାଯାଉଛି।

ପୁଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।