ପଞ୍ଚକୁଲା: ହରିୟାଣାର ପଞ୍ଚକୁଲାରେ ଡେରାଡୁନର ଗୋଟିଏ ପରିବାରର ୭ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେକ୍ଟର-୨୭ରେ ଏକ ଘର ବାହାରେ ପାର୍କିଂ ହୋଇଥିବା ଏକ କାର୍ ଭିତରୁ ମୃତଦେହ ମିଳିଥିଲା। କାର୍‌ରେ ଆତ୍ମହତ୍ୟା କରିଥିବା ୭ ଜଣିଆ ପରିବାରର ଜଣେ ସଦସ୍ୟ ମୃତ୍ୟୁ ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କୁ କହିଛନ୍ତି ଯେ ସେମାନେ ଋଣରେ ବୁଡ଼ି ଯାଇଥିବାରୁ ଏପରି କଠୋର ପଦକ୍ଷେପ ନେଇଛନ୍ତି। ‘ମୁଁ ବିଷ ପିଇଥିବାରୁ  ପାଞ୍ଚ ମିନିଟ୍ ମଧ୍ୟରେ ମରିଯିବି’, ବୋଲି ତାଙ୍କୁ କାର୍‌ରୁ ବାହାର କରିବାରେ ସାହାଯ୍ୟ କରିଥିବା ସ୍ଥାନୀୟ ବାସିନ୍ଦା ପୁନୀତ ରାଣାଙ୍କୁ ବ୍ୟକ୍ତି ଜଣକ କହିଥିଲେ। ଏହି ବ୍ୟକ୍ତିଙ୍କ ଅନ୍ତିମ ମୁହୂର୍ତ୍ତକୁ ଦେଖାଉଥିବା ଏକ ଭିଡିଓରେ ସ୍ଥାନୀୟ ଲୋକମାନେ କହୁଛନ୍ତି, ‘ତାଙ୍କୁ କିଛି ପାଣି ଦିଅ’, ଅନ୍ୟମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଡାକୁଥିବା ଶୁଣିବାକୁ ମିଳୁଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଋଣ ଭାର ଓ ଆର୍ଥିକ ସଙ୍କଟରେ ଥିବାରୁ ପରିବାର ଲୋକେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସମୟରେ  ମିତ୍ତଲଙ୍କ ଉପରେ ପାଖାପାଖି ୨୦ କୋଟି ଟଙ୍କାର ଋଣ ଥିଲା ବୋଲି ତାଙ୍କ ସମ୍ପର୍କୀୟ ଭାଇ ସନ୍ଦୀପ ଅଗ୍ରୱାଲ କହିଛନ୍ତି। ପରେ ସେ ପଞ୍ଜାବର ଖରାର୍‌ ଓ ପରେ ହରିୟାଣାର ପିଞ୍ଜୋରକୁ ଚାଲିଯାଇଥିଲେ, ଯେଉଁଠାରେ ସେ ତାଙ୍କ ଶ୍ୱଶୁରଙ୍କ ସହ ରହୁଥିଲେ ଏବଂ ଏକ ମାସ ପୂର୍ବରୁ ପଞ୍ଚକୁଲା ଫେରିଥିଲେ। ହିସାରର ବରୱାଲାରେ ରହୁଥିବା ମିତ୍ତଲ ପଞ୍ଚକୁଲାର ସାକେତ୍ରୀ ଅଞ୍ଚଳରେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିଲେ। ବ୍ୟାଙ୍କ ତାଙ୍କର ଦୁଇଟି ଫ୍ଲାଟ୍‌ ଓ ଗାଡ଼ିକୁ ମଧ୍ୟ ଜବତ କରିଥିଲା।

ଡେରାଡୁନର ପ୍ରବୀଣ ମିତ୍ତଲ ପଞ୍ଚକୁଲାର ବାଗେଶ୍ୱର ଧାମରେ ତାଙ୍କ ପରିବାର ସହ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ପରିବାର ଡେରାଡୁନ ଫେରୁଥିବା ବେଳେ ରବିବାର ଏହି ଘଟଣା ଘଟିଥିଲା। ପୁନୀତ କହିଛନ୍ତି ଯେ ପୁଲିସ ଠିକ୍ ସମୟରେ ପହଞ୍ଚିଥିବା ବେଳେ ଆମ୍ବୁଲାନ୍ସ ୪୫ ମିନିଟ୍ ବିଳମ୍ବରେ ପହଞ୍ଚିଥିଲା। ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ଉକ୍ତ ବ୍ୟକ୍ତିଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକମାନେ ହେଲେ ପ୍ରବୀଣ ମିତ୍ତଲ (୪୨), ତାଙ୍କ ପିତାମାତା, ପତ୍ନୀ ଓ ତିନି ସନ୍ତାନ (ଦୁଇ ଝିଅ ଓ ଗୋଟିଏ ପୁଅ)। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରୁ ଏକ ସୁଇସାଇଡାଲ୍‌ ନୋଟ୍ ମିଳିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଞ୍ଚକୁଲାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।