ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ଟିକାକରଣ ଉପରେ ସରକାରଙ୍କ ସମସ୍ତ ଧ୍ୟାନ ରହିଛି। ଏହି ଦିଗରେ ଅନେକ କାମ ଚାଲିଛି | ଆମ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ସେମାନଙ୍କୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ | ମଙ୍ଗଳବାର ଦିନ ରାଜ୍ୟସଭାରେ ସେ କହିଛନ୍ତି ଯେ ଅହମ୍ମଦାବାଦ ସ୍ଥିତ ଜାଇଡସ କାଡିଲା ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି ଏବଂ ଏହି ଟିକା ବଜାରରେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ।

ରାଜ୍ୟସଭାରେ ବିବୃତି ଦେଇ ମାଣ୍ଡଭିଆ କହିଛନ୍ତି ଯେ ଜାଇଡସ କାଡିଲା ଦ୍ୱାରା ବିକଶିତ ZyCoV-D ଭାରତର ପ୍ରଥମ ଡିଏନ୍ଏ ଟିକା ହେବ ଏବଂ ୭ କୋଟି ଡୋଜ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ZyCoV-D ହେଉଛି ଏକ ଡିଏନଏ ପ୍ଲାସିମଡ଼ ଟିକା, ଯାହା ଭୂତାଣୁର ଡିଏନଏ କିମ୍ବା ଆରଏନଏ ର ଏକ ଅଂଶକୁ ବ୍ୟବହାର କରିଥାଏ |

୧୨ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବା ପାଇଁ କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିସାରିଛି। ସେହିପରି କରୋନା ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାକୁ କେନ୍ଦ୍ର ସରକାର ଲୁଚାଉଥିବା ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ କୋଭିଡ-୧୯ ମୃତ୍ୟୁ ପଞ୍ଜିକରଣ ରାଜ୍ୟଗୁଡିକ ଦ୍ୱାରା କରାଯାଇଥାଏ ଏବଂ କେନ୍ଦ୍ର କୌଣସି ରାଜ୍ୟକୁ କମ୍ ସଂଖ୍ୟକ ମୃତ୍ୟୁ କିମ୍ବା ମାମଲା ପଞ୍ଜିକରଣ କରିବାକୁ କହି ନାହିଁ।

ସମ୍ବନ୍ଧିତ ଖବର