ଭୋପାଳ: ୧୦ ବର୍ଷ ତଳେ ମୃତ ମଧ୍ୟପ୍ରଦେଶର ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ୭ କୋଟି ଟଙ୍କାର ଆୟକର ନୋଟିସ ମିଳିଛି। ଏହି ଘଟଣା ତାଙ୍କ ପରିବାରକୁ ଚକିତ କରିଛି। ଯାହା ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ତାହା ହେଲା ଶିକ୍ଷୟିତ୍ରୀ ଜଣକ ୨୦୧୩ରେ ମୃତ୍ୟୁବରଣ କରିଥିବାବେଳେ ଆକଳନ ବର୍ଷ ୨୦୧୭-୧୮ ବର୍ଷ ପାଇଁ ଉକ୍ତ ନୋଟିସ ଆସିଛି। କେବଳ ଏହି ଶିକ୍ଷୟିତ୍ରୀ ନୁହନ୍ତି ଆଦିବାଦୀ ଅଧ୍ୟୁଷିତ ବେତୁଲ ଜିଲ୍ଲାରେ ପାଖାପାଖି ୪୪ ଜଣ ବ୍ୟକ୍ତିଙ୍କୁ ଆୟକର ନୋଟିସ ଦେଇଛି। ନୋଟିସ୍‌ରେ କୋଟିଏରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟକର ଦାବି କରାଯାଇଛି। ଉଷା ସୋନୀ ପଟଖେଡ଼ା ଗ୍ରାମର ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ। ଜୁଲାଇ ୨୬ ତାରିଖରେ ତାଙ୍କ ପରିବାରକୁ ଆୟକର ବିଭାଗର ଏକ ନୋଟିସ୍‌ ମିଳିଛି ଯେଉଁଥିରେ ୭.୫୫ କୋଟି ଟଙ୍କାର ଆୟକର ଦାଖଲ କରିବା ଲାଗି କୁହାଯାଇଛି। ତାଙ୍କ ପୁଅ ପୱନ ସୋନୀ କହିଛନ୍ତି, ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୨୦୧୩ ‌ନଭେମ୍ବର ୧୬ରେ ମା’ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ନୋଟିସ୍‌ ୨୦୧୭-୧୮ ଆକଳନ ବର୍ଷ ପାଇଁ ଆସିଛି। ଉକ୍ତ ଦସ୍ତାବିଜ୍‌ରେ ନ୍ୟାଚୁରାଲ କଷ୍ଟିଂ ନାମକ ଏକ ସ୍କ୍ରାପ କମ୍ପାନିର ନାମ ରହିଛି। ଏ ନେଇ ଆମେ ପୁଲିସରେ ଅଭିଯୋଗ କରିଛୁ। ମୋ ମା’ଙ୍କ ପାନ୍‌ର ଦୁରୁପଯୋଗ କରାଯାଇଛି ଏବଂ ଆମେମାନେ ଏସଂପର୍କରେ ଅବଗତ ନାହୁଁ।

Advertisment

ସେହିଭଳି ଏକ ଲୁହା ରଡ୍‌ ଦୋକାନରେ କାର୍ଯ୍ୟ କରି ମାସକୁ ୫ ହଜାରରୁ ୭ ହଜାର ଟଙ୍କା ରୋଜଗାର କରୁଥିବା ନୀତୀନ ଜୈନଙ୍କୁ ୧.୨୬ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ଆୟକର ଅଫିସରେ ସେ ଏ ସଂପର୍କରେ ପଚାରିବାରୁ ଜାଣିବାକୁ ପାଇଛନ୍ତି ଯେ ତାମିଲନାଡ଼ୁର କୋର୍ଟାଲମରେ ତାଙ୍କ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ରହିଛି। ଏଭଳି ସହରର ନାମ ସେ ଶୁଣିନାହାନ୍ତି ବୋଲି ସେ କହିଛନ୍ତି। ଆୟକର ବିଭାଗର ଅଧିକାରୀମାନେ କିନ୍ତୁ ତାଙ୍କୁ କହିଛନ୍ତି, ୨୦୧୪-୧୫ରେ ଉକ୍ତ ଆକାଉଣ୍ଟ ଖୋଲାଯାଇ ମୋଟା ଅଙ୍କର ଆର୍ଥିକ କାରବାର ହୋଇଛି। ସେଥିପାଇଁ ତାଙ୍କୁ ୧.୨୬ କୋଟି ଟଙ୍କାର ଟିକସ ନୋଟିସ ଦିଆଯାଇଛି। ମୁଁ ଏ ନେଇ ଏକ ଏତଲା ଦେଇଛି ବୋଲି ଜୈନ କହିଛନ୍ତି।